ବିଶ୍ଵ ଟେଷ୍ଟ ଚମ୍ପିଆନସିପ ଫାଇନାଲ୍: ନିରାଶ କଲେ ଭାରତୀୟ ବ୍ୟାଟସମ୍ୟାନ, ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ୧୦୧/୨

ସାଉଥମ୍ପଟନ ୨୦।୦୬: ବିଶ୍ଵ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲାରେ କାଇଲ ଜେମିସନଙ୍କ ଘାତକ ବୋଲିଂ ବଳରେ ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ଭାରତଠୁ ଉନ୍ନତ ସ୍ଥିତିରେ ରହିଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୨ ଓ୍ଵିକେଟ୍ ହରାଇ ୧୦୧ ରନ କରିଛି। ଦଳ ଏବେ ଭାରତଠୁ ୧୧୬ ରନ ପଛରେ ରହିଛି। ଅଧିନାୟକ କେନ ଓ୍ଵିଲିୟମସନ ୧୨ ଓ ରସ ଟେଲର(୦) କ୍ରିଜରେ ଅପରାଜିତ ଅଛନ୍ତି। ଭାରତ ପ୍ରଥମ ଇନିଂସରେ ୨୧୭ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୪୯ ରନ ଓ ଅଧିନାୟକ ବିରାଟ କୋହଲି ୪୪ ରନ କରିଥିଲେ।

ଭାରତୀୟ ଇନିଂସ ପରି ନ୍ୟୁଜିଲାଣ୍ଡର ଦୁଇ ଓପନର ଟମ ଲାଥନ ଓ ଡେଭନ କନଓ୍ଵେ ଦଳକୁ ମଜବୁତ ଆରମ୍ଭ ଦେଇଥିଲେ। ଦୁଇ ବ୍ୟାଟସମ୍ୟାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍ରେ ୭୦ ରନ ଯୋଡିଥିଲେ। ଭାରତକୁ ପ୍ରଥମ ସଫଳତା ପାଇଁ ୩୫ତମ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା। ଟମ୍ ଲାଥମ(୩୦)ଙ୍କୁ ଆଉଟ୍ କରି ରବିଚନ୍ଦ୍ରନ ଅଶ୍ଵିନ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ କନଓ୍ଵେ ଓ ଅଧିନାୟକ ରସ୍ ଟେଲର ଦଳର ଇନିଂସକୁ ଆଗକୁ ବଢାଇଥିଲେ। କନଓ୍ଵେ ଦମଦାର ବ୍ୟାଟିଂ କରି ଟେଷ୍ଟରେ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ।

୧୦୧ ରନ ସ୍କୋରରେ ନ୍ୟୁଜିଲାଣ୍ଡକୁ ଇଶାନ୍ତ ଶର୍ମା ଦ୍ଵିତୀୟ ଝଟକା ଦେଇଥିଲେ। କନଓ୍ଵେ ୬ ଚୌକା ଜରିଆରେ ୫୪ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ଖରାପ ଆଲୋକ ଯୋଗୁଁ ଖେଳ ସମ୍ଭବ ହୋଇନପାରିବାରୁ ତୃତୀୟ ଦିନ ଖେଳ ସମାପ୍ତି ଘୋଷଣା କରିଥିଲେ ଅମ୍ପାୟର। ତୃତୀୟ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ ୨ ଓ୍ଵିକେଟ୍ ହରାଇ ୧୦୧ ରନ କରିଛି। ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ଵିନ ଓ ଇଶାନ୍ତ ଶର୍ମା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ଏହା ପୂର୍ବରୁ ତୃତୀୟ ଦିନରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୧୭ ରନରେ ଅଲଆଉଟ୍ ହୋଇଥିଲା। ନ୍ୟୁଜିଲାଣ୍ଡ ବୋଲର କାଇଲ ଜେମିସନ ୫ ଓ୍ଵିକେଟ୍ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଗିଥିଲେ। ଦ୍ଵିତୀୟ ଦିନରେ ୧୪୬/୩ରୁ ତୃତୀୟ ଦିନ ଖେଳ ଆରମ୍ଭ କରିଥିବା ଭାରତ ପ୍ରଥମ ସେସନରେ ହିଁ ୪ ଓ୍ଵିକେଟ୍ ହରାଇଥିଲା। କୋହଲି ଗତକାଲିର ସମାନ ୪୪ ରନ କରି ଆଉଟ୍ ହୋଇଥିଲେ। ଆଜିଙ୍କ୍ୟ ରାହାଣେ କିଓ୍ଵି ବୋଲରଙ୍କ ମୁକାବିଲା କରି ୪୯ ରନ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ପନ୍ତ (୪) ଦଳକୁ ନିରାଶ କରିଥିଲେ। ଶେଷ ଆଡକୁ ଅଶ୍ଵିନ ୨୨ ଓ ଜାଡେଜା ୧୫ ରନ କରିବାରୁ ଦଳ ୨୦୦ ଅତିକ୍ରମ କରିଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ ଜେମିସନ ୩୧ ରନ ଦେଇ ୫ ଓ୍ଵିକେଟ୍ ନେଇଥିଲେ। ନିଲ ଓ୍ଵାଗନର ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ମିଳିଥିଲା।