ଗରିବ ମୁହଁରେ ହସ ଫୁଟାଉଛି ଟଙ୍କିକିଆ ଚା’ ବିସ୍କୁଟ, ରାତି ୧୨ରୁ ଭୋର ୫ଟା ପର୍ଯ୍ୟନ୍ତ ମିଳୁଛି ସେବା

ଭୋକିର ମନକଥା ପଢ଼ୁଛନ୍ତି ପ୍ରେମ, ଅଧ ରାତିରେ ଲୋକଙ୍କ ସେବାରେ ବାହାରିପଡ଼ୁଛନ୍ତି ଏକା ।

ଭୁବନେଶ୍ୱର: ଆଜିକାଲି ପ୍ରତିଟି ଜିନିଷ ମହଙ୍ଗା । ଏ ପ୍ରକାର ସ୍ଥିତିରେ ଯେତେବେଳେ ନିଜ ଘର ଚଳାଇବା କଷ୍ଟକର ହୋଇ ପଡ଼ୁଛି, ସେତିକିବେଳେ ପରୋପକାର କରିବାକୁ ବାହାରିଛନ୍ତି ରାଜଧାରନୀର ଜଣେ ଯୁବକ ।

ନାଁ ତାଙ୍କର ପ୍ରେମ୍ । ଦିନରେ ନିଜ ପେଟ ପୋଷିବା ପାଇଁ ଚାକିରି କରନ୍ତି ଆଉ ରାତିହେଲେ ବାହାରି ପଡ଼ନ୍ତି ଲୋକଙ୍କ ମୁହଁରେ ଟିକେ ହସ ବାଣ୍ଟିବା ପାଇଁ ।

ରଜଧାନୀର ଦୂଆରମୁହଁ କୁହାଯାଉଥିବା ରସୁଲଗଡ଼ରୁ ଆରମ୍ଭ କରି କଳ୍ପନା ଛକ, କ୍ୟାପିଟାଲ ହସ୍ପିଟାଲ, ଷ୍ଟେଶନରୁ ବରମୁଣ୍ଡା ପର୍ଯ୍ୟନ୍ତ ପ୍ରେମ୍ ଚା’ ସହିତବିସ୍କୁଟ ପ୍ୟାକେଟ୍ ଲୋକଙ୍କୁ ଦେଇଚାଲନ୍ତି । ମାତ୍ର ଗୋଟିଏ ଟଙ୍କାରେ ପ୍ରେମ ଲୋକଙ୍କୁ କପେ ଚା’ ସାଙ୍ଗକୁ ବିସ୍କୁଟ ଦିଅନ୍ତି ।

ରାତି ୧୨ରୁ ଭୋର ୫ଟା ପର୍ଯ୍ୟନ୍ତ ପ୍ରେମଙ୍କ ଚା’ ବିକ୍ରି କାର୍ଯ୍ୟ ଚାଲେ । ପ୍ରତ୍ୟେକ ଦିନ ୭୦୦ ଟଙ୍କା ସେ ରୋଜଗାର କରନ୍ତି । ଆଉ ଯେଉଁଥିରେ ତାଙ୍କୁ ସାହାଯ୍ୟ କରନ୍ତି, ପ୍ରେମଙ୍କ ଘରଲୋକ ଏବଂ ତାଙ୍କର ୨ ବନ୍ଧୁ ।

ଜଣେ ବନ୍ଧୁ ତାଙ୍କୁ ଚା’ କରି ଦେଉଥିବାବେଳେ ଆଉ ଜଣେ ବନ୍ଧୁ ତାଙ୍କୁ ବିସ୍କୁଟ ପ୍ୟାକେଟ କିଣି ଦିଅନ୍ତି । ଆଉ ଅଧ ରାତିରେ ବାହାରେ ବୁଲି ବୁଲି ଚା’ ବିକିବା ପାଇଁ ତାଙ୍କ ମା’ ସହଯୋଗ କରୁଥିବା ପ୍ରେମ୍ କୁହନ୍ତି ।

୨୦୧୫ରୁ ପ୍ରମ୍ ନିଜର ଏ ସେବା ଆରମ୍ଭ କରିଛନ୍ତି । ୧୦ ବର୍ଷ ହେବ ସେ ଗୋଟିଏ ଟଙ୍କାରେ ଚା’ ବିସ୍କୁଟ ସାଙ୍ଗକୁ ବେଳେ ବେଳେ ପେଟ୍ରୋଲ, ଡିଜେଲ ଏବଂ ଭାତ ଡାଲମା ମଧ୍ୟ ଲୋକଙ୍କୁ ଯୋଗାଇଥିବା କୁହନ୍ତି ।

ଆଗକୁ ମଧ୍ୟ ପ୍ରେମ ଲୋକଙ୍କ ସେବା ଜାରି ରଖିବେ । ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସେ ଏପରି କରିପାରୁଥିବା କହିଛନ୍ତି ।