ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଅଲଗା ହୋଇଯାଇଛନ୍ତି । ବମ୍ବେ ହାଇକୋର୍ଟର ନିର୍ଦ୍ଦେଶ କ୍ରମେ, ଫ୍ୟାମିଲି କୋର୍ଟ ଗୁରୁବାର ତାଙ୍କ ରାୟ ଦେଇଛନ୍ତି ଏବଂ ଚହଲ-ଧନଶ୍ରୀଙ୍କ ଛାଡପତ୍ର ଆନୁଷ୍ଠାନିକ ଭାବରେ ହୋଇଛି । ୟୁଜଭେନ୍ଦ୍ରଙ୍କ ଓକିଲ ନୀତିନ ଗୁପ୍ତା ସମ୍ବାଦ ସଂସ୍ଥା ଏଏନଆଇକୁ ଏହା ନିଶ୍ଚିତ କରିଛନ୍ତି ।
ତେବେ ବମ୍ବେ ହାଇକୋର୍ଟ ଫ୍ୟାମିଲି କୋର୍ଟକୁ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ତାଙ୍କର ଅଲଗା ରହୁଥିବା ପତ୍ନୀ ଧନଶ୍ରୀ ବର୍ମାଙ୍କ ଛାଡପତ୍ର ଆବେଦନ ଉପରେ ମାର୍ଚ୍ଚ ୨୦ ସୁଦ୍ଧା ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏବେ ଛାଡପତ୍ର ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଫ୍ୟାମିଲି କୋର୍ଟକୁ ଦେଇଛନ୍ତି ହାଇକୋର୍ଟ ଏବଂ ଉଭୟ (ଚହଲ ଏବଂ ଧନଶ୍ରୀ) ବିବାହର ୪ ବର୍ଷ ପରେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି ।
ଦୁହେଁ ଗତ ଅଢ଼େଇ ବର୍ଷ ଧରି ଅଲଗା ରହୁଥିଲେ ଏବଂ ଆଜି ସେମାନଙ୍କର ଛାଡପତ୍ର ହୋଇଛି । ଚହଲ ଏବଂ ଧନଶ୍ରୀ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ହାଜର ହୋଇ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ । ଚହଲଙ୍କ ଓକିଲ ନୀତିନ କୁମାର ଗୁପ୍ତା ସମ୍ବାଦ ସଂସ୍ଥା ଏଏନଆଇକୁ କହିଛନ୍ତି ଯେ ଛାଡପତ୍ର ହୋଇଯାଇଛି, ବିବାହ ଭାଙ୍ଗି ଯାଇଛି । ଚୁକ୍ତିନାମା ଅନୁଯାୟୀ, ଚହଲ ଏବଂ ଧନଶ୍ରୀଙ୍କ ମଧ୍ୟରେ ୪.୭୫ କୋଟି ଟଙ୍କାର ଭରଣପୋଷଣ ପାଇଁ ଏକ ସମାଧାନ ହୋଇଛି ।