fbpx

୧୦ଟି ବ୍ୟାଙ୍କର ବଡ଼ ଘୋଷଣା: ବଢ଼ିଲା ସ୍ଥାୟୀ ଜମା ସୁଧ ହାର, ଗ୍ରାହକଙ୍କୁ ମିଳିବ ଅଧିକ ରିଟର୍ଣ୍ଣ

Advertisement

ନୂଆଦିଲ୍ଲୀ: ଦିନକୁ ଦିନ ସମସ୍ତ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିବାରେ ଲାଗିଥିବା ବେଳେ ଗ୍ରାହକମାନେ ଏପରି ସ୍ଥିତିରେ ଭଲ ନିବେଶ ସନ୍ଧାନରେ ରହିଥାନ୍ତି । ତେବେ ଆଜିକାଲି ମାର୍କେଟରେ ଷ୍ଟକ୍ସ, ମ୍ୟୁଚୁଆଲ ଫଣ୍ଡସ, ରିକରିଂ ଡିପୋଜିଟ, ସୁକନ୍ୟା ସମୃଦ୍ଧି ଯୋଜନା, କିଷାନ ବିକାଶ ପାତ୍ର ଆଦି ବିଭିନ୍ନ ପ୍ରକାରର ନିବେଶ ବିକଳ୍ପ ରହିଥିବା ବେଳେ ବ୍ୟାଙ୍କ ସ୍ଥାୟୀ ଜମା (ଏଫଡି) ସମସ୍ତଙ୍କୁ ଅଧିକ ରିଟର୍ଣ୍ଣ ପ୍ରଦାନ କରିଥାଏ ।

ତେବେ ଏହା ମଧ୍ୟରେ ଦେଶର ୧୦ଟି ବ୍ୟାଙ୍କ ସେମାନଙ୍କର ଏଫଡି ଦରରେ ବୃଦ୍ଧି ଘୋଷଣା କରିଛନ୍ତି । ସେହି ବ୍ୟାଙ୍କଗୁଡ଼ିକ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ), ବ୍ୟାଙ୍କ ଅଫ୍ ଇଣ୍ଡିଆ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଡିସିବି ବ୍ୟାଙ୍କ, ଫେଡେରାଲ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଆଇସିଆଇସିଆଇ, ଏଚଡିଏଫସି ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ୟୁନିୟନ ବ୍ୟାଙ୍କ ଆଦି ରହିଛି । ଏହିସବୁ ବ୍ୟାଙ୍କମାନଙ୍କରେ ଗ୍ରାହକମାନେ ଏଫଡିରେ ନିବେଶ କରି ବଢ଼ିଆ ସୁଧ ପାଇ ପାରିବେ । ଏଥିରେ ନିବେଶ କଲେ ଗ୍ରାହକଙ୍କର ଅର୍ଥ ସର୍ବଦା ସୁରକ୍ଷିତ ରହିଥାଏ ।

ଏସବିଆଇ ୨ କୋଟିରୁ କମ୍ ଏଫଡି ଉପରେ ସୁଧ ହାର ବୃଦ୍ଧି କରିଛି । ବ୍ୟାଙ୍କ ୩୯୯ ଦିନିଆ ସ୍ପେଶାଲ ଏଫଡି ଉପରେ ୭.୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବ । ୨ ବର୍ଷରୁ ୩ ବର୍ଷ ଅବଧିର ଏଫଡି ପାଇଁ ସାଧାରଣ ଗ୍ରାହକଙ୍କୁ ୭ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୭.୫ ପ୍ରତିଶତ ସୁଧ ମିଳିବ । କୋଟାକ ମହିନ୍ଦ୍ରା ବ୍ୟାଙ୍କ ୨୩ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଏଫଡି ଉପରେ ସାଧାରଣ ଗ୍ରାହକଙ୍କ ପାଇଁ ସୁଧ ହାର ୭.୨୫କୁ ବୃଦ୍ଧି କରିଥିବା ବେଳେ ବରିଷ୍ଠ ନାଗରିକଙ୍କ ପାଇଁ ୭.୮୦ ପ୍ରତିଶତ ରଖିଛି । ଡିସିବି ବ୍ୟାଙ୍କ ଦୁଇ କୋଟି ଟଙ୍କାରୁ କମ୍ ମୂଲ୍ୟର ଏଫଡି ଉପରେ ସାଧାରଣ ନାଗରିକଙ୍କୁ ୮ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ୮.୬୦ ପ୍ରତିଶତ ସୁଧ ଦେବ । ଫେଡେରାଲ ବ୍ୟାଙ୍କ ୫୦୦ ଦିନିଆ ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୮.୧୫ ପ୍ରତିଶତ ସୁଧ ପ୍ରଦାନ କରିବ ।

ଏଚଡିଏଫସି ବ୍ୟାଙ୍କ ୭ରୁ ୧୦ ବର୍ଷିଆ ଏଫଡିରେ ସାଧାରଣ ନାଗରିକଙ୍କୁ ସର୍ବାଧିକ ୭.୨୦ ପ୍ରତିଶତ ଓ ବରିଷ୍ଠ ନାଗରିକଙ୍କୁ ସର୍ବାଧିକ ୭.୭୫ ପ୍ରତିଶତ ସୁଧ ପ୍ରଦାନ କରିବ । ଆଇସିଆଇସିଆଇ ବ୍ୟାଙ୍କ ୭ ଦିନରୁ ୧୦ ବର୍ଷିଆ ଏଫଡି ଉପରେ ସାଧାରଣ ନାଗରିକଙ୍କୁ ୩ରୁ ୭.୧୦ ପ୍ରତିଶତ ସୁଧ ପ୍ରଦାନ କରୁଛି । ସେହିପରି ବରିଷ୍ଠ ନାଗରିକଙ୍କୁ ୩.୫୦ରୁ ୭.୬୫ ପ୍ରତିଶତ ସୁଧ ମିଳୁଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୭ ଦିନରୁ ୧୦ ବର୍ଷିଆ ଏଫଡି ଉପରେ ବରିଷ୍ଠ ନାଗରିକଙ୍କୁ ୭.୭୫ ପ୍ରତିଶତ ସୁଧ ପ୍ରଦାନ କରିବ । ୪୪୪ ଦିନିଆ ଏଫଡିରେ ସର୍ବାଧିକ ୭.୨୫ ପ୍ରତିଶତ ସୁଧ ମିଳିବ ।

ସେହିପରି ଆକ୍ସିସ ବ୍ୟାଙ୍କ ବରିଷ୍ଠ ନାଗରିକଙ୍କୁ ସର୍ବାଧିକ ୭.୭୫ ପ୍ରତିଶତ ସୁଧ ପ୍ରଦାନ କରୁଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ୨ କୋଟିରୁ ୧୦ କୋଟିର ଏଫଡି ଉପରେ ଏଫଡି ଦର ବୃଦ୍ଧି କରିଛି । ୪୬ ଦିନରୁ ୯୦ ଦିନ ପାଇଁ ୫.୨୫ ପ୍ରତିଶତ, ୯୧ ଦିନରୁ ୧୭୯ ଦିନ ପାଇଁ ୬ ପ୍ରତିଶତ, ୧ ବର୍ଷ ପାଇଁ ୬.୫୦ ପ୍ରତିଶତ ସୁଧ ମିଳିବ । ୟୁନିୟନ ବ୍ୟାଙ୍କ ମଧ୍ୟ ତା’ର ଏଫଡି ଦରରେ ବୃଦ୍ଧି କରିଛି । ବ୍ୟାଙ୍କ ୧ ବର୍ଷ ଓ ୩୯୮ ଦିନିଆ ଏଫଡି ଉପରେ ସୁଧ ହାର ବୃଦ୍ଧି କରିଥିବା ବେଳେ ଗ୍ରାହକଙ୍କୁ ଏଥିରେ ୬.୭୫ ପ୍ରତିଶତ ସୁଧ ମିଳିବ । ସେହିପରି ୩୯୯ ଦିନିଆ ଏଫଡି ଉପରେ ଗ୍ରାହକଙ୍କୁ ୭.୨୫ ପ୍ରତିଶତ ସୁଧ ମିଳିବ ।

Get real time updates directly on you device, subscribe now.