fbpx

୯.୪ କୋଟି କୃଷକଙ୍କୁ ଆଜି ମିଳିବ ପିଏମ୍-କିଷାନର ୧୮ତମ କିସ୍ତି: ୨୦,୦୦୦ କୋଟି ଟଙ୍କା ପ୍ରଦାନ କରିବେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୫ ରେ ମହାରାଷ୍ଟ୍ର ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୧ଟା ୧୫ରେ ସେ ପୋହରାଦେବୀସ୍ଥିତ ଜଗଦମ୍ବା ମାତା ମନ୍ଦିରରେ ଦର୍ଶନ କରିବେ । ୱାଶିମରେ ସନ୍ଥ ସେବାଲାଲ ମହାରାଜ ଓ ସନ୍ଥ ରାମରାଓ ମହାରାଜଙ୍କ ସମାଧିସ୍ଥଳରେ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହାପରେ ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ପ୍ରଧାନମନ୍ତ୍ରୀ ବଞ୍ଜାରା ସମ୍ପ୍ରଦାୟର ସମୃଦ୍ଧ ଐତିହ୍ୟକୁ ପାଳନ କରି ବଞ୍ଜାରା ବିରାସତ୍ ସଂଗ୍ରହାଳୟକୁ ଉଦଘାଟନ କରିବେ । ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ପ୍ରାୟ ୨୩,୩୦୦ କୋଟି ଟଙ୍କାର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଅପରାହ୍ନ ପ୍ରାୟ ୪ଟାରେ ପ୍ରଧାନମନ୍ତ୍ରୀ ଥାନେ ଠାରେ ୩୨,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ।

ଏହାପରେ ସନ୍ଧ୍ୟା ପ୍ରାୟ ୬ଟା ରେ ବିକେସି ମେଟ୍ରୋ ଷ୍ଟେସନରୁ ମୁମ୍ବାଇର ଆରେ ଜେଭିଏଲଆର ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଟ୍ରୋ ଟ୍ରେନକୁ ସେ ପତାକା ଦେଖାଇ ଶୁଭାରମ୍ଭ କରିବେ । ସେ ବିକେସି ଏବଂ ସାନ୍ତାକ୍ରୁଜ୍ ଷ୍ଟେସନ ମଧ୍ୟରେ ମେଟ୍ରୋରେ ଯାତ୍ରା କରିବେ । କୃଷକମାନଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ ପ୍ରଧାନମନ୍ତ୍ରୀ ପ୍ରାୟ ୯.୪ କୋଟି କୃଷକଙ୍କୁ ପାଖାପାଖି ୨୦,୦୦୦ କୋଟି ଟଙ୍କାର ପିଏମ-କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନ କରିବେ ।

୧୮ତମ କିସ୍ତି ଜାରି ହେବା ପରେ ପିଏମ-କିଷାନ ଯୋଜନା ଅଧୀନରେ କୃଷକମାନଙ୍କୁ ପ୍ରଦାନ କରାଯାଇଥିବା ମୋଟ ପାଣ୍ଠି ପ୍ରାୟ ୩.୪୫ ଲକ୍ଷ କୋଟି ଟଙ୍କା ହେବ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨,୦୦୦ କୋଟି ଟଙ୍କା ପ୍ରଦାନ କରୁଥିବା ନମୋ ସେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିର ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ୧୯୨୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍) ଅଧୀନରେ ୭,୫୦୦ରୁ ଅଧିକ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ । ପ୍ରାୟ ୧୩୦୦ କୋଟି ଟଙ୍କାର ମିଳିତ କାରବାର କରୁଥିବା ୯,୨୦୦ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଗୃହପାଳିତ ପଶୁ ମାନଙ୍କ ପାଇଁ ୟୁନିଫାଇଡ୍ ଜିନୋମିକ୍ ଚିପ୍ ଏବଂ ସ୍ୱଦେଶୀ ସେକ୍ସ-ସର୍ଟେଡ୍ ସିମେନ୍ ଟେକ୍ନୋଲୋଜିର ଶୁଭାରମ୍ଭ କରିବେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସୌର କୃଷି ବାହିନୀ ଯୋଜନା – ୨.୦ ଅଧୀନରେ ସମଗ୍ରମହାରାଷ୍ଟ୍ରରେ ମୋଟ ୧୯ ମେଗାୱାଟ କ୍ଷମତା ବିଶିଷ୍ଟ ୫ଟି ସୌର ପାର୍କ କୁ ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀ ପ୍ରାୟ ୧୪,୧୨୦ କୋଟି ଟଙ୍କା ମୂଲ୍ୟର ମୁମ୍ବାଇ ମେଟ୍ରୋ ଲାଇନର ବିକେସିରୁ ଆରେ ଜେଭିଏଲଆର ସେକ୍ସନକୁ ଉଦଘାଟନ କରିବେ ।

ଏହି ସେକ୍ସନରେ ୧୦ଟି ଷ୍ଟେସନ ରହିବ, ସେଥିମଧ୍ୟରୁ ୯ଟି ଅଣ୍ଡରଗ୍ରାଉଣ୍ଡ ରହିବ । ପାଖାପାଖି ୧୨,୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଥାନେ ଇଣ୍ଟିଗ୍ରାଲ ରିଂ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ଛେଡା ନଗରରୁ ଥାନେର ଆନନ୍ଦ ନଗର ପର୍ଯ୍ୟନ୍ତ ପ୍ରାୟ ୩,୩୧୦ କୋଟି ଟଙ୍କା ମୂଲ୍ୟର ଏଲିଭେଟେଡ୍ ଇଷ୍ଟର୍ଣ୍ଣ ଫ୍ରିୱେ ଏକ୍ସଟେନସନର ଶିଳାନ୍ୟାସ କରିବେ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ପ୍ରାୟ ୨,୫୫୦ କୋଟି ଟଙ୍କା ବ୍ୟୟରେ ନଭି ମୁମ୍ବାଇ ଏୟାରପୋର୍ଟ ଇନଫ୍ଲୁଏନ୍ସ ନୋଟିଫାଏଡ୍ ଏରିଆ (ଏନଏଆଇଏନଏ) ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ପାଖାପାଖି ୭୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଥାନେ ମ୍ୟୁନିସିପାଲିଟି କର୍ପୋରେସନର ଶିଳାନ୍ୟାସ କରିବେ ।

 

ଏହି ଲୋକମାନେ ୧୮ତମ କିସ୍ତି ପାଇବେ ନାହିଁ :-

ନିମ୍ନଲିଖିତ ବର୍ଗର ଏକ କିମ୍ବା ଅଧିକରୁ ଅଧିକ କୃଷକ ପରିବାର କିସ୍ତି ପାଇବେ ନାହିଁ । ଯେପରିକି, ପୂର୍ବତନ ତଥା ବର୍ତ୍ତମାନର ମନ୍ତ୍ରୀ / ରାଜ୍ୟ ମନ୍ତ୍ରୀ ତଥା ଲୋକସଭା / ରାଜ୍ୟସଭା / ରାଜ୍ୟ ବିଧାନସଭା / ରାଜ୍ୟ ବିଧାନ ପରିଷଦର ପୂର୍ବତନ / ଉପସ୍ଥିତ ସଦସ୍ୟ । ମ୍ୟୁନିସିପାଲିଟି କର୍ପୋରେସନର ପୂର୍ବତନ ତଥା ବର୍ତ୍ତମାନର ମେୟର, ଜିଲ୍ଲା ପଞ୍ଚାୟତର ପୂର୍ବତନ ତଥା ବର୍ତ୍ତମାନର ସଭାପତିମାନେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ ନାହିଁ । ଡାକ୍ତର, ଇଞ୍ଜିନିୟର, ଆଇନଜୀବୀ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ସ୍ଥପତି ଏବଂ ସେମାନଙ୍କ ବୃତ୍ତି ଅଭ୍ୟାସ କରୁଥିବା ବ୍ୟକ୍ତିମାନେ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ ନାହିଁ ।

Get real time updates directly on you device, subscribe now.