ସପ୍ତାହନ୍ତରେ ପ୍ରବଳ ଛେଚିବ, ସବୁ ଜିଲ୍ଲାକୁ ପାଣିପାଗ ବିଭାଗର ଆଲର୍ଟ
ବର୍ଷା ଧୋଇଦେବ ସବୁ ମଜା, ବର୍ଷର ଶେଷ ସପ୍ତାହନ୍ତରେ ପ୍ରବଳ ବର୍ଷା ସମ୍ଭାବନା ଚିନ୍ତା ବଢାଇଲା ଚାଷୀଙ୍କର
ଭୁବନେଶ୍ୱର- ବର୍ଷର ଶେଷ ସପ୍ତାହରେ ବର୍ଷା ସମ୍ଭାବନା । ପଶ୍ଚିମା ବାୟୁ ପ୍ରଭାବରେ ରାଜ୍ୟର ବହୁ ଜିଲ୍ଲା ସପ୍ତାହନ୍ତରେ ବର୍ଷା ନେଇ ଆକଳନ କରିଛି ଭୁବନେଶ୍ୱର ପାଣିପାଗ ବିଭାଗ । ବିଶେଷ କରି ଉତ୍ତର ଓ ଉତ୍ତର ପଶ୍ଚିମାଞ୍ଚଳର ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ବର୍ଷା ସମ୍ଭାବନା ନେଇ ସୂଚନା ଦିଇଛନ୍ତି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ।
ଦାସଙ୍କ ଏକ୍ସ ଆକାଉଣ୍ଟ ସୂଚନା ମୁତାବକ ରାଜ୍ୟରେ ୨୮ ଓ ୨୯ ତାରିଖରେ ବର୍ଷା ହେବାର ବହୁ ସମ୍ଭାବନା ରହିଛି ।
ଗତ ସପ୍ତାହନ୍ତରେ ହୋଇଥିବା ଅଦିନିଆ ବର୍ଷା ରାଜ୍ୟର ଅଧିକାଂଶ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଠିକ ଅମଳ ସମୟରେ ବର୍ଷା ପାଇଁ ଧାନ ସବୁ ପାଣିରେ ବୁଡି ଯାଇଛି । ଅନେକଙ୍କ ଧାନ ଗଜା ଦେବା ଆରମ୍ଭ କଲାଣି ।
ଏପରି ସମୟରେ ରାଜ୍ୟରେ ଜଣେ ଚାଷୀ ମଧ୍୍ୟ ଋଣ ଭାରରେ ଚାପି ହୋଇ ଜୀବନ ଦେଇସାରିଲେଣି ବୋଲି ଅଭିଯୋଗ ହେଉଛି ।
ଏହି ସମୟରେ ପୁଣି ଏକ ବର୍ଷା ନେଇ ଆକଳନ କରୁଛି ପାଣିପାଗ ବିଭାଗ । ଏହା ଚାଷୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି । ପୂର୍ବ ବର୍ଷାରେ ବିଲରେ ପଡିଥିବା ଧାନ ଗଛକୁ କାଟି ଖଳାକୁ ଆଣିବା କାମ ସରିନି ।
ଏହାକୁ ଦେଖି କର୍ତ୍ତୃପକ୍ଷ ଚାଷୀଙ୍କୁ ପୁରୁଣା ଚାଷ ଶୈଳିରେ ଶସ୍ୟ ସଂରକ୍ଷଣ କରିବା ସହ ଆଧୁନିକ ପଦ୍ଧତି ଆପଣାଇବାକୁ ପରାମର୍ଶ ଦେଉଛନ୍ତି ।
ସେପଟେ ଚାଷୀଙ୍କ ଏହି କ୍ଷତିକୁ ଦେଖି ରାଜ୍ୟ ସରକାର ଚାଷୀଙ୍କୁ ଅତ୍ୟାବଶ୍ୟକ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ, ଫସଲ ବୀମାରେ ଚାଷୀଙ୍କ କ୍ଷତିର ଭରଣା କରିବାକୁ ମଧ୍ୟ ବୀମା କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।