ରାଜନୀତି ମୈଦାନରେ ବିରଳ ସଂଯୋଗ! ୩ଟି ରାଜ୍ୟର ତିନୋଟି ଆସନରେ ଦେଖିବାକୁ ମିଳିଲା ସମାନ ଘଟଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକସଭା ନିର୍ବାଚନ ପାଇଁ ଗତ ମାସ ୧୯ ତାରିଖରେ ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଗତ ମାସ ୨୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିଲା । ଆଗକୁ ଆଉ ୫ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଅନେକ ନେତା ଦଳ ଛାଡ଼ୁଥିବା ଦେଖାଯାଉଛି ।
ତେବେ ଏହା ମଧ୍ୟରେ ରାଜନୀତିରେ ଏକ ବିରଳ ସଂଯୋଗ ଦେଖିବାକୁ ମିଳିଛି । ୩ଟି ରାଜ୍ୟର ୩ଟି ଆସନରେ ସମାନ ଘଟଣା ଘଟିଛି । ପୂର୍ବରୁ ଗୁଜରାଟର ସୂରତ ଓ ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଟିକେଟ ଫେରସ୍ତ କରିଥିଲେ । ମାତ୍ର ଏବେ ଓଡ଼ିଶାର ପୁରୀ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଟିକେଟ ଫେରସ୍ତ କରିଛନ୍ତି । ଦଳ ଫଣ୍ଡିଂ ନ ଦେବା କାରଣରୁ ଏହି ଆସନ ପାଇଁ କଂଗ୍ରେସ ତରଫରୁ ସାଂସଦ ପ୍ରାର୍ଥୀ ଘୋଷିତ ହୋଇଥିବା ସୁଚରିତା ମହାନ୍ତି ନିଜର ଟିକେଟ ଫେରସ୍ତ କରିଦେଇଛନ୍ତି ।

ବିନା ପାର୍ଟି ଫଣ୍ଡିଂରେ ପ୍ରଚାର କରିବା ସମ୍ଭବ ନୁହେଁ ବୋଲି ଏଆଇସିସି ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳଙ୍କ ନିକଟକୁ ପଠାଇଥିବା ଇ-ମେଲ ବାର୍ତ୍ତାରେ ସୁଚରିତ ଉଲ୍ଲେଖ କରିଛନ୍ତି । ଏଥିସହିତ ପୁରୀ ସଂସଦୀୟ କ୍ଷେତ୍ରର ୭ଟି ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଥିବାରୁ ସେଥିମଧ୍ୟରୁ ୪ଟି ବିଧାନସଭା ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ସେ କହିଥିଲେ ବୋଲି ସୁଚରିତା ଦର୍ଶାଇଛନ୍ତି । ସୁଚରିତ ଜଣେ ପ୍ରଫେସନାଲ ସାମ୍ବାଦିକା ଥିବା ବେଳେ ସେ ୧୦ ପୂର୍ବରୁ ରାଜନୀତିରେ ପାଦ ଥାପିଥିଲେ ।

ସୂଚନାଯୋଗ୍ୟ ଯେ, ନିକଟରେ ମଧ୍ୟପ୍ରଦେଶରେ କଂଗ୍ରେସକୁ ମଧ୍ୟ ଝଟକା ଲାଗିଥିଲା । ଇନ୍ଦୋର ଆସନର କଂଗ୍ରେସ ପ୍ରାର୍ଥୀ ଅକ୍ଷୟ ବାମ ନିଜର ନାମାଙ୍କନ ଫେରସ୍ତ କରିନେଇଥିଲେ । ଏହାପରେ ଅକ୍ଷୟ ବିଜେପିରେ ସାମିଲ ହୋଇଥିଲେ । ନାମାଙ୍କନ ଦାଖଲର ଶେଷ ଦିନର ପୂର୍ବ ଦିନ ଅକ୍ଷୟ ଏପରି କରିଥିଲେ । ଏପ୍ରିଲ ୨୪ରେ ଅକ୍ଷୟ ଇନ୍ଦୋର ଆସନ ପାଇଁ ନିଜର ନାମାଙ୍କନ ଦାଖଲ କରିଥିଲେ ।

ସେହିପରି ଏହା ପୂର୍ବରୁ ଗୁଜରାଟରେ ମଧ୍ୟ କଂଗ୍ରେସକୁ ବଡ଼ ଝଟକା ଲାଗିଥିଲା । କଂଗ୍ରେସ ପ୍ରାର୍ଥୀ ନିଲେଶ କୁମ୍ଭାନୀଙ୍କର ନାମାଙ୍କନ ରଦ୍ଦ ହୋଇଯାଇଥିଲା । ନିଲେଶଙ୍କର ପ୍ରସ୍ତାବକଙ୍କ ହସ୍ତାକ୍ଷରରେ କିଛି ଗଡ଼ବଡ଼ ରହିଥିଲା । ଏହାପରେ ଉକ୍ତ ସିଟର ସମସ୍ତ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ଫେରସ୍ତ କରିନେଇଥିଲେ । ଶେଷରେ ସୂରତ ଆସନରୁ ବିଜେପି ପ୍ରର୍ଥୀ ମୁକେଶ ଦଲାଲ ନିର୍ବିରୋଧରେ ବିଜେତା ଘୋଷିତ ହୋଇଥିଲେ ।