ଖାଉଟିଙ୍କ ପାଇଁ ଖୁସି ଖବର… ପଚିଯିବ ପଶ୍ଚିମବଙ୍ଗ ଆଳୁ , ରାଜ୍ୟରୁ ଦୂରହେବ ଆଳୁ ଟେନସନ୍

ଭୁବନେଶ୍ୱର: ଉତ୍ତର ପ୍ରଦେଶରୁ ୩୦୦ ଆଳୁ ଟ୍ରକ୍ ଓଡ଼ିଶା ଆସୁଛି । ବଜାରରେ ଆଳୁ ମହଜୁଦ ହେବାପରେ, ଦର ନିୟନ୍ତ୍ରଣକୁ ଆସିବ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପଶ୍ଚିମବଙ୍ଗରେ ବର୍ତ୍ତମାନ ୭ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଗଚ୍ଛିତ ଅଛି । ତାଙ୍କ ଚାହିଦା ଅତିବେଶୀରେ ୫ ଲକ୍ଷ ମେଟ୍ରିକ୍ ଟନ୍ । ବାକି ୨ ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ଦେଇପାରିବେ । ଯଦି ଅନ୍ୟ ରାଜ୍ୟକୁ ରପ୍ତାନୀ ନ କରିବେ ଆଳୁ ପଚିଯିବ ଏବଂ ରାଜ୍ୟ କ୍ଷତି ସହିବ ।

ପଶ୍ଚିମବଙ୍ଗ ସରକାର ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି । ଯାହାଫଳରେ କୋଲକାତାରୁ ଆଳୁ ଓଡ଼ିଶା ଆସିପାରୁ ନାହିଁ । ଆଳୁ ଆମଦାନୀ କମିବାରୁ ଓଡ଼ିଶା ବଜାରରେ ଆଳୁ ଦର ଘୋ ଘୋ ହୋଇ ବଢ଼ିବାରେ ଲାଗିଛି । ଯେଉଁ କାରଣରୁ କିଛିଦିନ ତଳେ ସରକାର ଅନ୍ୟ ରାଜ୍ୟରୁ ଆଳୁ ଆଣିବା ପାଇଁ ଯୋଜନା ଚଳାଇଥିବା କହିଥିଲେ ଯୋଗାଣ ମନ୍ତ୍ରୀ । ଆଳୁ ଆମଦାନୀ ପାଇଁ ୟୁପି ଓ ପଞ୍ଜାବ ସହ ଆଲୋଚନା ଜାରିଥିବା ମଧ୍ୟ ସେ କହିଥିଲେ । ତେବେ ଆଗାମୀ ଦିନରେ ୩୦୦ ଟ୍ରକ୍ ଆଳୁ ଓଡ଼ିଶା ଆସିବ ବୋଲି ଖୋଦ୍ ମନ୍ତ୍ରୀ ରବିବାର ସୂଚନା ଦେଇଛନ୍ତି । ୟୁପିରୁ ଆଳୁ ଆସି ପହଞ୍ଚିବା ପରେ ଆଳୁ ଦର କମିଯିବ ।