fbpx

ଏଣିକି ଅଫିସରେ ୪ ଦିନ କାମ ଓ ୨ ଦିନ ଲକଡାଉନ୍: ପେଟ୍ରୋଲ-ଡିଜେଲ ବଞ୍ଚାଇବାକୁ ପାକିସ୍ତାନର ନୂଆ ପ୍ଲାନ୍

Advertisement

ଇସଲାମବାଦ: ଗତ ଏକ ବର୍ଷ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ଆହୁରି ବଢ଼ିଚାଲିଛି । ପେଟ୍ରୋଲ-ଡିଜେଲର ବଢ଼ୁଥିବା ଦାମ୍ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ଅନେକ ଚେଷ୍ଟା ପରେ ବି କୌଣସି ଉପାୟ ମିଳୁପାରି ନାହିଁ । ଏହାରି ମଧ୍ୟରେ ପାକିସ୍ତାନ ସରକାର ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ମଚାରୀଙ୍କ କାର୍ଯ୍ୟଦିବସକୁ ହ୍ରାସ କରିବା ପାଇଁ ପ୍ଲାନ୍ କରୁଛନ୍ତି ।

ପାକିସ୍ତାନର ଏକ ପ୍ରମୁଖ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, କାର୍ଯ୍ୟଦିବସ ହ୍ରାସ କରିବାକୁ ସରକାର ଏକ ଯୋଜନାକୁ ଅନୁମୋଦନ କରିଛନ୍ତି । ଏହି ଯୋଜନା ଇନ୍ଧନ ସଞ୍ଚୟ କରିବ ଓ ଏହା ଦ୍ୱାରା ବୈଦେଶିକ ମୁଦ୍ରା ବ୍ୟବହାର ମଧ୍ୟ ହ୍ରାସ ପାଇବ ବୋଲି ସରକାର ଭାବୁଛନ୍ତି ।

ପାକିସ୍ତାନ ସରକାରଙ୍କ ମତରେ, କାର୍ଯ୍ୟଦିବସ ହ୍ରାସ କରି ପେଟ୍ରୋଲ ଏବଂ ଡିଜେଲ ସଞ୍ଚୟ କରିବାର ଯୋଜନାରୁ ବାର୍ଷିକ ୨.୭ ବିଲିୟନ ଡଲାର ପର୍ଯ୍ୟନ୍ତ ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରିବ । ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ ଏହି ପ୍ରସ୍ତାବ ପ୍ରସ୍ତୁତ କରିଛି । ଏହି ପ୍ଲାନ୍ ଅନୁସାରେ, ଏଣିକି ଅଫିସରେ ମାତ୍ର ୪ ଦିନ କାମ ହେବ ଏବଂ ତିନି ଦିନ ଛୁଟି ଦେବା ପାଇଁ କୁହାଯାଇଛି ।

ଏହି ଯୋଜନାରୁ ପିଓଏଲ ସଞ୍ଚୟ ପ୍ରତିମାସକୁ ପ୍ରାୟ ୧୨.୨ କୋଟି ହେବ ବୋଲି ଆକଳନ କରାଯାଇଛି । ଏହା ୧ ବର୍ଷରେ ୧.୫ ବିଲିୟନ ଡ଼ଲାରରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ପ୍ରସ୍ତାବରେ କୁହାଯାଇଛି ଯେ, କାର୍ଯ୍ୟ ଦିନରେ ୯୦ ପ୍ରତିଶତ ତୈଳ ବ୍ୟବହାର ହେଉଥିବାବେଳେ ଛୁଟିଦିନରେ ଏହି ସଂଖ୍ୟା ମାତ୍ର ୧୦ ପ୍ରତିଶତ ରହୁଛି ।

ଏହା ବ୍ୟତୀତ ପାକିସ୍ତାନ ଷ୍ଟେଟ ବ୍ୟାଙ୍କ ଦ୍ୱିତୀୟ ଏବଂ ତୃତୀୟ ଯୋଜନା ମଧ୍ୟ ପ୍ରସ୍ତୁତ କରିଛି । ଦ୍ୱିତୀୟ ଯୋଜନା ଅନୁଯାୟୀ, ୪ କାର୍ଯ୍ୟଦିବସ, ୨ ଛୁଟି ଦିନ ଏବଂ ଗୋଟିଏ ଦିନ ଲକଡାଉନ୍ କରିବାକୁ ପରାମର୍ଶ ଦିଆଯାଇଛି । ଏହା ପ୍ରତି ମାସରେ ପ୍ରାୟ ୧୭୫ ନିୟୁତ ଡଲାର ସଞ୍ଚୟ ହେବ ବୋଲି ଆକଳନ କରାଯାଇଛି । ବାର୍ଷିକ ଏହା ୨.୧ ବିଲିୟନ ଡ଼ଲାରରେ ପହଞ୍ଚିପାରେ ।

ତୃତୀୟ ଯୋଜନାରେ ୪ କାର୍ଯ୍ୟଦିବସ, ୧ ଦିନ ଛୁଟି ଏବଂ ୨ ଦିନ ଲକଡାଉନ୍ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଯୋଜନା ବାର୍ଷିକ ୨.୭ ବିଲିୟନ ଡଲାର ସଞ୍ଚୟ କରିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.