fbpx

ମାର୍ଚ୍ଚରେ ୪ ହଜାର ୭୪୯ କୋଟି ଟଙ୍କା ଜି.ଏସ୍‍.ଟି. ସଂଗ୍ରହ କରିଛି ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଜି.ଏସ୍‍.ଟି. ସଂଗ୍ରହ ପରିମାଣ ଲଗାତାର ଭାବେ ବୃଦ୍ଧି ପାଇଥିବାବେଳେ ଜାତୀୟ ସ୍ତରରେ ଉତ୍ତମ ପ୍ରଦର୍ଶନ କରିଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ଓଡ଼ିଶା ମୋଟ ପ୍ରାୟ ୪ ହଜାର ୭୪୯ କୋଟି ଟଙ୍କା ଜି.ଏସ୍‍.ଟି. ସଂଗ୍ରହ କରିଛି । ପୂର୍ବ ତୁଳନାରେ ଏହା ୧୫ ଦଶମିକ ୧/୪ ପ୍ରତିଶତ ଅଧିକ ରହିଛି । ଏହା ଜାତୀୟ ହାରଠାରୁ ମଧ୍ୟ ଅଧିକ ବୋଲି ଜଣାପଡ଼ିଛି । ଚଳିତ ବର୍ଷ ମାର୍ଚ୍ଚରେ ଓଡ଼ିଶା ପୂରଣ କରିଥିବା ରାଜସ୍ୱ ହେଉଛି ଦ୍ୱିତୀୟ ସର୍ବାଧିକ ସର୍ବକାଳୀନ ରେକର୍ଡ଼ ବୋଲି ରାଜ୍ୟ ବାଣିଜ୍ୟ କର ଓ ଜି.ଏସ୍‍.ଟି. କମିଶନରେଟ୍‍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି ।

ଅନ୍ୟପଟେ ଦେଶର ଜିଏସଟି ରାଜସ୍ବ ସଂଗ୍ରହରେ ଅଭୁତପୂର୍ବ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ମାର୍ଚ୍ଚ ୨୦୨୩ରେ ଦେଶର ଜିଏସଟି ଆଦାୟ ୧ ଲକ୍ଷ ୬୦ ହଜାର କୋଟିକୁ ବୃଦ୍ଧି ପାଇଛି । ଏହା ମାର୍ଚ୍ଚ ୨୦୨୨ ତୁଳନାରେ ୧୩ ପ୍ରତିଶତ ଅଧିକ । ଅର୍ଥ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି ।

ମାର୍ଚ୍ଚର ଜିଏସଟି ରାଜସ୍ବ ଜିଏସଟି ଇତିହାସରେ ଦ୍ବିତୀୟ ସର୍ବାଧିକ ଆଦାୟ । ୨୦୨୨ ଏପ୍ରିଲ ମାସରେ ରେକର୍ଡ ୧ ଲକ୍ଷ ୬୭ ହଜାର କୋଟି ଟଙ୍କାର ଜିଏସଟି ରାଜସ୍ବ ଆଦାୟ କରାଯାଇଥିଲା । ମାର୍ଚ୍ଚରେ ମୋଟ ଜିଏସଟି ଆଦାୟ ମଧ୍ୟରେ ୨୯,୫୪୬ କୋଟି ଟଙ୍କାର ସିଜିଏସଟି, ୩୭,୩୧୪ କୋଟି ଟଙ୍କାର ଏସଜିଏସଟି ଏବଂ ରେକର୍ଡ ୮୨,୯୦୭ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଉପରେ ଆମଦାନୀରୁ ଆଦାୟ ହୋଇଥିବା ୪୨,୫୦୩ କୋଟି ଟଙ୍କା କୁ ମିଶାଇ) ଅନ୍ତର୍ଭୁକ୍ତ । ଏଥିରେ ୧୦,୩୫୫ କୋଟି ଟଙ୍କା ସେସ୍ ଅନ୍ତର୍ଭୁକ୍ତ, ଯେଉଁଥିରୁ ୯୬୦ କୋଟି ଟଙ୍କା ସାମଗ୍ରୀ ଆମଦାନୀରୁ ଆସିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.