ଆଜି ଆସିବ ୫ ରାଜ୍ୟର ବିଧାନସଭା ଜନାଦେଶ, ଫୋକସରେ ୟୁପି- ପଞ୍ଜାବ ରେଜଲ୍ଟ

ନୂଆଦିଲ୍ଲୀ: ଆଜି ୫ ରାଜ୍ୟ ଅର୍ଥାତ ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ପ୍ରକାଶ ପାଇବ ରେଜଲ୍ଟ।  ୫ରାଜ୍ୟରେ ବିଧାନସଭା ଆସନ ନିମନ୍ତେ ହୋଇଥିବା ମତଦାନର ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ କରାଯିବ । ଏଥିନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ହେବାକୁ ଥିବା କେନ୍ଦ୍ରଗୁଡ଼ିକୁ ସିସିଟିଭି ନଜରରେ ରଖାଯାଇଛି । ଏଥିସହ ଭୋଟଗଣତି କେନ୍ଦ୍ରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଲୋକଙ୍କ ଗହଳି ଏଡ଼ାଇବା ପାଇଁ କେନ୍ଦ୍ରଗୁଡ଼ିକର ଆଖପାଖରେ କଟକଣା ଜାରି କରାଯାଇଛି । ଭୋଟଗଣତି କେନ୍ଦ୍ରକୁ ପାଣି, ଖାଦ୍ୟ ସାମଗ୍ରୀ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ନେବା ଉପରେ ବାରଣ ମଧ୍ୟ କରାଯାଇଛି । ଉତ୍ତରପ୍ରଦେଶର ମୋଟ ୪୦୩ ଆସନ ନିମନ୍ତେ ମତଗଣନା ହେବାକୁ ଥିବାବେଳେ ପଞ୍ଜାମର ୧୧୭, ଉତ୍ତରାଖଣ୍ଡର ୭୦, ଗୋଆର ୪୦ ଓ ମଣିପୁରର ୬୦ ଆସନ ପାଇଁ ଏହି ମତଗଣନା କରାଯିବ । ଏଥିନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଗଣତି ପୂର୍ବରୁ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଗୁରୁତର ଅଭିଯୋଗ ଆଣିଛନ୍ତି ।

ବାରାଣସୀରେ ଇଭିଏମ୍‌ ଟାମ୍ପରିଂ ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେପଟେ ୫ ରାଜ୍ୟରେ ସରକାର ଗଠନ ନେଇ ଏବେଠାରୁ ଛକାପଞ୍ଝା ଆରମ୍ଭ ହୋଇଯାଇଛି । ଗୋଆରେ ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ୍‌ ଡେରା ପକାଇଥିବାବେଳେ ଘୋଡ଼ାବେପାର ରୋକିବା ଲାଗି କଂଗ୍ରେସ ବିଧାୟକଙ୍କୁ ଏକ ରିସର୍ଟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦିଲ୍ଲୀରେ ଥାଇ ହାଇକମାଣ୍ଡଙ୍କ ସହିତ ଆଲୋଚନା କରିଛନ୍ତି । ଏସବୁ ଭିତରେ ସମସ୍ତଙ୍କ ନଜର ଏବେ ରହିଛି ଉତ୍ତରପ୍ରଦେଶ ଫଳାଫଳ ଉପରେ । ୟୁପିରେ ପୁଣିଥରେ ଯୋଗୀ ଶାସନ କରିବେ ନା ଅଖିଳେଶ ସରକାର ଗଢିବେ ସେ ନେଇ ଗୁରୁବାର ସବୁକିଛି ସ୍ପଷ୍ଟ ହେବ ।