ରୋହିତ-କୋହଲିଙ୍କ ବ୍ରେକ ଉପରେ ବର୍ଷିଲେ ପୂର୍ବତନ କ୍ରିକେଟର, କହିଲେ- ବହୁତ ମିଳିଲା ଆରାମ, ଡ୍ରପ୍ କରି ଦିଅ

ନୂଆଦିଲ୍ଲୀ: ସମୟ ଥିଲା ପୂରା ବିଶ୍ଵ କ୍ରିକେଟରେ ରାଜ୍ କରୁଥିଲେ ବିରାଟ କୋହଲି। ନିଜ ଦମରେ ଦଳକୁ ଜିତାଉଥିଲେ। ସେ ଟେଷ୍ଟ ହେଉ କି ଦିନିକିଆ କିମ୍ବା ଟି-୨୦ ହେଉ ତିନି ଫର୍ମାଟର ଥିଲେ ବାଦଶାହା। ଏମିତି ଅନେକ ଇନିଂସ ଖେଳିଛନ୍ତି, ଯାହା ଦମରେ ତାଙ୍କୁ ବର୍ତ୍ତମାନ ଯୁଗରେ ସର୍ବଶ୍ରେଷ୍ଠ ଖେଳାଳି କୁହାଯାଉଥିଲା। ହେଲେ ଦୀର୍ଘ ଅଢେଇ ବର୍ଷ ହେବ ତାଙ୍କ ବ୍ୟାଟରୁ ରନ ସୁଖି ଯାଇଛି। ଶତକ ତ ଦୂରର କଥା ପ୍ରତିଟି ରନ ପାଇଁ କୋହଲିଙ୍କୁ ସଂଘର୍ଷ କରିବାକୁ ପଡୁଛି। ଯେବେଠୁ ଅଧିନାୟକ ଦାୟିତ୍ଵ ଛାଡିଛନ୍ତି ତେବେଠୁ ତାଙ୍କ ଫର୍ମ ଆହୁରି ଖରାପ ହୋଇ ଚାଲିଛି। ତାଙ୍କୁ ଦକ୍ଷିଣ ଆଫ୍ରିକା ଘରୋଇ ଟି-୨୦ ସିରିଜରେ ବିଶ୍ରାମ ଦିଆଯାଇଥିଲା। ଏହାପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଦଳକୁ ଫେରିଥିଲେ। ହେଲେ ଉଭୟ ଇନିଂସରେ ୧୧ ଏବଂ ୨୦ ରନ କରି ପାରିଥିଲେ କୋହଲି। ସେ ଶେଷ ଥର ଚଳିତ ବର୍ଷ ଫେବୃଆରୀରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଗତ ବର୍ଷ ଟି-୨୦ ବିଶ୍ଵ କପ ପରଠୁ ସେ ମାତ୍ର ଦୁଇଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି।

ଏହା ମଧ୍ୟରେ କୋହଲି ଏବଂ ରୋହିତ ଶର୍ମା ଅନେକ ସିରିଜରୁ ବିଶ୍ରାମ ନେଇ ସାରିଛନ୍ତି। ହେଲେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରୁ ଉଭୟ ଖେଳାଳିଙ୍କୁ ପୁଣି ଥରେ ବିଶ୍ରାମ ଦିଆଯାଇଛି। ବିସିସିଆଇର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ଭାରତର ପୂର୍ବତନ ଅଲରାଉଣ୍ଡର କରସମ ଘାବରି ଏବଂ ଅନେକ ଲୋକ। ସେ ସ୍ପୋର୍ଟ୍ସକିଡାକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ବିରାଟ ଏବଂ ରୋହିତ ଶର୍ମାଙ୍କୁ କେତେ ଆରାମ ଦରକାର ?

ବିରାଟ କୋହଲି ଟେଷ୍ଟ ମ୍ୟାଚରେ କେତେ ସମୟ ବ୍ୟାଟିଂ କରିଛନ୍ତି ? ଭାରତ ପାଇଁ ଖେଳିବା ତାଙ୍କର ପ୍ରଥମ ପ୍ରାଥମିକତା ହେବା ଉଚିତ୍। ଆପଣ ଆଇପିଏଲ ସମୟରେ ବିଜ୍ଞାପନ ପାଇଁ ସୁଟ୍ କରି ପାରୁଛନ୍ତି, ହେଲେ ଭାରତ ପାଇଁ ଖେଳିବାକୁ ସମୟ ନାହିଁ। ଆପଣ ଓ୍ଵାର୍କଲୋଡ ନାମରେ ବାରମ୍ବାର ବିଶ୍ରାମ ନେଇ ପାରିବେ ନାହିଁ। ସେ କହିଛନ୍ତି, ରୋହିତ ଶର୍ମାଙ୍କୁ ଇଂଲଣ୍ଡ କାହିଁକି ପଠାଯାଇଛି। ସେ ଟେଷ୍ଟ ମ୍ୟାଚ୍ ଖେଳି ନାହାନ୍ତି ଏବଂ କେବଳ ସୀମିତ ଓଭର ମ୍ୟାଚ୍ ଖେଳିବେ। କଣ ଏବେ ତାଙ୍କୁ ବ୍ରେକର ଆବଶ୍ୟକାତ ରହିଛି ? ସେ ପର‌୍ୟାପ୍ତ ଆରମ କରି ସାରିଛନ୍ତି ବୋଲି ଘାବରି କହିଛନ୍ତି।

ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ଘାବରି କହିଛନ୍ତି, ଖେଳାଳିଙ୍କୁ ଯୋଗ୍ୟତା ଆଧାରରେ ଚୟନ କରାଯାଉ। ବିରାଟ ଅନେକ ସମୟରେ ଭାରତକୁ ଗୌରବାନ୍ଵିତ କରିଛନ୍ତି। ହେଲେ ବର୍ତ୍ତମାନ ଯଦି ଫର୍ମରେ ନାହାନ୍ତି ତେବେ ତାଙ୍କୁ ଦଳରୁ ବାଦ୍ ଦିଆଯାଉ। ଫର୍ମରେ ଥିବା ଖେଳାଳିଙ୍କୁ ଦଲରେ ସୁଯୋଗ ଦିଆଯାଉ। ବିରାଟ କୋହଲି ବହୁବ ବଡ ନାମ, ହେଲେ ରନ କାହିଁ ? ଆପଣ ନିଜର ଗତ ଖ୍ୟାତିକୁ ଧରି କେତେ ଦିନ ଖେଳି ପାରିବେ ? ସେ ଏବେ ମଧ୍ୟ ୨୭ଟି ଟେଷ୍ଟ ଶତକ ସହ ଅଟକି ରହିଛନ୍ତି। ଏହି ସମୟରେ ଜୋ ରୁଟ୍ ତାଙ୍କୁ ପଛରେ ପକାଇ ସାରିଛନ୍ତି ବୋଲି ପୂର୍ବତନ ଅଲରାଉଣ୍ଡର କହିଛନ୍ତି।