ଭୁବନେଶ୍ୱର- ଜାଡରେ ଥରୁଛି ସାରା ରାଜ୍ୟ । ୯ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ଜି ଉଦୟଗିରି ସବୁଠାରୁ ଥଣ୍ଡା ସହର ହୋଇଛି । ଜି ଉଦୟଗିରର ତାପମାତ୍ରା ସବୁଠାରୁ କମ ୫ ଡିଗ୍ରୀ ରହିଛି ।
ସେହିପରି ସିମିଳିଗୁଡାର ତାପମାତ୍ରା ୫.୯ ଡିଗ୍ରୀ ହୋଇଥିବା ବେଳେ ଫୁଲବାଣୀର ତାପମାତ୍ରା ୮ ଡିଗ୍ରୀ, ଦାରିଙ୍ଗବାଡି ୮.୫ ଡିଗ୍ରୀ, କୋରାପୁଟ- ୯.୪, ରାଉରକେଲା ୯.୫ ଡିଗ୍ରୀ, ଝାରସୁଗୁଡା, ଭବାନୀ ପାଟନା, ନବରଙ୍ଗପୁର ୯.୮ ଡିଗ୍ରୀ ରେକର୍ଡ ରହିଛି ।
ଏହା ବ୍ୟତୀତ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡିଶାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି । ବିଳମ୍ବରେ ହେଉ ପଛେ କାଲୁଆ ପବନ ଋତୁର ଶେଷାର୍ଦ୍ଧରେ ଲୋକଙ୍କୁ ଶୀତର ଅନୁଭୂତି ପ୍ରଦାନ କରିଛି ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ଆସନ୍ତା ସୋମବାରରୁ ଶୀତ କମିବା ନେଇ ପୂର୍ବାନୁମାନ କରାଯାଇଛି ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, କେନ୍ଦୁଝର ଏବଂ କଳାହାଣ୍ଡିର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ହୋଇପାରେ ।
ସୁନ୍ଦରଗଡ଼, ଅନୁଗୁଳ, କନ୍ଧମାଳ ଏବଂ କୋରାପୁଟ ଜିଲ୍ଲାଗୁଡ଼ିକରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସାମ୍ଭାବନା ଅଛି ।
ତେବେ ଆଗାମି ୨୪ ଘଣ୍ଟା ପାଇଁ ରାଜ୍ୟର ଜିଲ୍ଲାଗୁଡିକରେ ସର୍ବନିମ୍ନ ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।
ତାପର ଦିନଠାରୁ ସର୍ବନିମ୍ନ ତାପମାତ୍ରାରେ ୨ରୁ୩ ଡିଗ୍ରୀ ସେଲସିୟସ ବଢିବାର ସମ୍ଭାବନା ରହିଛି ।
ଆଗାମୀ ୭ ଦିନ ପାଇଁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉପରୋକ୍ତ ସୂଚନା ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ଦିଆଯାଇଛି ।