fbpx

ଋଦ୍ଧିମାନ ଶାହାଙ୍କ ଅଭିଯୋଗ ଉପରେ ମୁହଁ ଖୋଲିଲେ ଦ୍ରାବିଡ, ଜାଣନ୍ତୁ କଣ କହିଲେ ଭାରତୀୟ କୋଚ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଓ୍ଵିକେଟ୍ ବ୍ୟାଟସମ୍ୟାନ ଋଦ୍ଧିମାନ ଶାହା ସଂପ୍ରତି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ତାଙ୍କୁ ଦଳରେ ଚୟନ କରାଯାଇ ନାହିଁ। ଏହା ପରେ ଶାହା ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଏବଂ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ସେ ଖୁଲାସା କରିଛନ୍ତି ଯେ, କୋଚ୍ ଦ୍ରାବିଡ ତାଙ୍କୁ ଅବସର ନେବାକୁ କହିଥିଲେ। ଦ୍ରାବିଡ ଏବେ ନିଜ ନିରବତା ଭାଙ୍ଗିଛନ୍ତି। ଭାରତୀୟ କୋଚ୍ ରବିବାର ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ପରେ ପ୍ରେସ୍ କନଫରେନ୍ସରେ କହିଛନ୍ତି, ଶାହାଙ୍କ ବୟାନରେ ତାଙ୍କୁ ଟିକେ ବି ସମସ୍ୟା ହୋଇ ନାହିଁ। କାରଣ ତାଙ୍କର କାମ ଖେଳାଳିଙ୍କୁ ମୁସ୍କିଲ ପରିସ୍ଥିତି ସହ ଅବଗତ କରାଇବାର ଅଛି।

ଦ୍ରାବିଡ ମିଡିଆ ପ୍ରଶ୍ନର ଉତ୍ତରରେ କହିଛନ୍ତି, ମୋତେ ଲାଗୁ ନାହିଁ ଖେଳାଳିଙ୍କୁ ସର୍ବଦା ମୋ କଥାରେ ସହମତ ହେବେ। ମାତ୍ର ଏହାର ଅର୍ଥ ଏହା ନୁହେଁ ଯେ, ଆମେ ଜରୁରୀ କଥାକୁ ସାମ୍ନାକୁ ନଆଣିବୁ। ମୁଁ ସର୍ବଦା ଖେଳାଳିଙ୍କୁ ସେମାନଙ୍କର ମୁସ୍କିଲ ଅବସ୍ଥାରେ ଅବଗତ କରାଇବାରେ ବିଶ୍ଵାସ ରଖେ। ମୋ ଏହି ମନ୍ତବ୍ୟରେ ଖେଳାଳି ଅସନ୍ତୁଷ୍ଟ ହେବା ସ୍ଵାଭାବିକ କଥା। ତାଙ୍କର ଅସନ୍ତୋଷକୁ ନେଇ ମୁଁ ଅଧିକ ଦୁଃଖି ନୁହେଁ। ଭାରତୀୟ କ୍ରିକେଟ୍ ପ୍ରତି ଶାହାଙ୍କ ଯୋଗଦାନକୁ ମୁଁ ସମ୍ମାନ କରୁଛି। ଏହି କାରଣରୁ ମୁଁ ତାଙ୍କ ସହ ଆଲୋଚନା କଲି। ମୁଁ ସଚ୍ଚୋଟ ଭାବେ ଏବଂ ସ୍ପଷ୍ଟ ଆଭିମୁଖ୍ୟ ଆପଣେଇବାକୁ ଚାହେଁ। ମୁଁ ଚାହୁଁନଥିଲି ଏହି କଥା ଗଣମାଧ୍ୟମରେ ଆସୁ।

ଚୟନକର୍ତ୍ତା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଶାହାଙ୍କ ସ୍ଥାନରେ କେଏସ ଭରତଙ୍କୁ ବ୍ୟାକଅପ୍ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଭାବେ ଚୟନ କରିଛନ୍ତି। ଋଷଭ ପନ୍ତ ମୁଖ୍ୟ ଓ୍ଵିକେଟ୍ କିପର ଭୂମିକା ତୁଲାଇବେ। ଦ୍ରାବିଡଙ୍କ ମତରେ ଏହି ସମୟରେ ନୂତନ ଓ୍ଵିକେଟ୍ କିପରଙ୍କୁ ସୁଯୋଗ ଦେବା ଉଚିତ୍। ଋଷଭ ପନ୍ତ ନିଜକୁ ଦମଦାର ଓ୍ଵିକେଟ୍ କିପର ଭାବେ ସ୍ଥାପିତ କରିଛନ୍ତି। ତେଣୁ ଆମେ ଯୁବ ଓ୍ଵିକେଟ୍ କିପରଙ୍କୁ ପ୍ରସ୍ତୁତ କରିବାକୁ ଚାହୁଁ ବୋଲି ଦ୍ରାବିଡ କହିଛନ୍ତି।

Get real time updates directly on you device, subscribe now.