ଆରମ୍ଭ ହେଲା ଶାନ୍ତି ଆଲୋଚନା: ଉଭୟ ପକ୍ଷଙ୍କୁ ସ୍ୱାଗତ କଲେ ବେଲାଋଷ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଳୀ: ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଛି । ଯୁଦ୍ଧର ପଞ୍ଚମ ଦିନରେ ଶାନ୍ତି ପ୍ରସ୍ତାବ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ । ଏହାକୁ ସ୍ୱୀକାର କରିଥିଲେ ହେଁ ବେଲାଋଷରେ ନୁହେଁ ବରଂ ବେଲାଋଷ ସୀମାରେ ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ଆଲୋଚନା ହେବ ବୋଲି କୁହାଯାଇଥିଲା । ଭାରତୀୟ ସମୟ ଅପରାହ୍ନ ୩.୩୦ରେ ଏହି ବୈଠକ ଆରମ୍ଭ ହୋଇଥିଲା ।

ବେଲାଋଷ ବୈଦେଶିକ ମନ୍ତ୍ରୀଙ୍କ ତତ୍ୱାବଧାନରେ ଏହି ବୈଠକ ଆରମ୍ଭ ହୋଇଥିଲା । ବେଲାଋଷ ବୈଦେଶିକ ମନ୍ତ୍ରୀ ଭ୍ଲାଦିମିର ମାକେଇ ଉଭୟ ରାଷ୍ଟ୍ରର ଶାନ୍ତି ପ୍ରତିନିଧିଙ୍କୁ ସ୍ୱାଗତ କରିଥିଲେ । ଉଭୟ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ଦ୍ୱାରା ଏହି ସ୍ଥାନ ନିର୍ଦ୍ଧାରିତ ହୋଇଥିବା ବେଳେ ସମସ୍ତ ପ୍ରତିନିଧି ଦଳ ନିଜକୁ ସୁରକ୍ଷିତ ଅନୁଭବ କରନ୍ତୁ ବୋଲି କହିଥିଲେ ମାକେଇ । ୟୁକ୍ରେନ ପ୍ରତିନିଧି ଦଳରେ ପ୍ରତିରକ୍ଷା ମନ୍ତ୍ରୀ ଓଲେକସି ରେଜନିକୋଭଙ୍କ ସମେତ ଅନ୍ୟାନ୍ୟ ସାଂସଦ ଯୋଗ ଦେଇଛନ୍ତି । ଅନ୍ୟ ପକ୍ଷରେ ପୂର୍ବତନ ସଂସ୍କୃତି ମନ୍ତ୍ରୀ ଭ୍ଲାଦିମିର ମେଡିନ୍ସକିଙ୍କ ନେତୃତ୍ୱରେ ଋଷୀୟ ପ୍ରତିନିଧି ଦଳ ଆସିଛନ୍ତି ।