ସମ୍ବାଦିକଙ୍କୁ ବେଡି ପକାଇବା ପଡିଲା ମହଙ୍ଗା: ଥାନା IICଙ୍କର ବଦଳିଗଲା ଠିକଣା

ବାଲେଶ୍ୱର: ନୀଳଗିରିରୁ ଜଣେ ସାମ୍ବାଦିକଙ୍କ ଗୋଡରେ ବେଡି ପକାଇବା ଘଟଣାରେ ଥାନା IICଙ୍କ ଉପରେ କାର୍ଯ୍ୟାନୁଷ୍ଠାନ । ନୀଳଗିରି ଥାନା IIC ଦ୍ରୌପଦୀ ଦାସଙ୍କୁ ବଦଳି କରାଯାଇଛି । IICଙ୍କ ସମେତ ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ରେଞ୍ଜ ଇନଚାର୍ଜ ଆଇଜି ନରସିଂହ ଭୋଳ ।

ସୂଚନା ଅନୁଯାଇ, ବୁଧବାର ସକାଳେ ନୀଳଗିରିର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ହୋମ୍‌ଗାର୍ଡଙ୍କୁ ଆକ୍ରମଣ କରିବା ଘଟଣାରେ ପୋଲିସ ଗିରଫ କରିଥିଲା । ତେବେ ସେ ଥାନାରେ ଥିବା ସମୟରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବୁଧବାର ରାତିରେ ବାଲେଶ୍ୱର ସଦର ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଗୁରୁବାର ସକାଳେ ତାଙ୍କୁ ଜଗିଥିବା ପୋଲିସ କର୍ମଚାରୀ ତାଙ୍କ ଗୋଡ଼ରେ ବେଡି ପକାଇ ଖଟରେ ବାନ୍ଧି ଦେଇଥିଲେ । ତେବେ ଯେଉଁ ପୋଲିସ କର୍ମଚାରୀମାନେ ତାଙ୍କ ଗୋଡ଼ରେ ବେଡି ପକାଇଥିଲେ ସେନେଇ ସାମ୍ବାଦିକ ଲୋକନାଥ ସେମାନଙ୍କୁ ପଚାରିବାରୁ ସେମାନେ ପ୍ରଥମେ ବଡ଼ ସାର୍‌ ଓ ପରେ ନୀଳଗିରି ଆଇଆଇସି ମାଡାମ୍‌ଙ୍କ ନିର୍ଦ୍ଦେଶରେ ଏପରି କରିଥିବା କହିଥିଲେ । ଅନ୍ୟପକ୍ଷରେ ନୀଳଗିରି ଏସ୍‌ଡିିଓ ସଫେଇରେ କହିଛନ୍ତି ଯେ ଏପରି ନିର୍ଦ୍ଦେଶ ଉପରୁ ଜମା ଆସିନାହିଁ । ସେହି ରି ନୀଳଗିରି ଆଇଆଇସି ମଧ୍ୟ ସଫେଇ ଦେଇ କହିଛନ୍ତି ଯେ ସେ କୌଣସି ଏପରି ନିର୍ଦ୍ଦେଶ ଦେଇନାହାନ୍ତି । ତେବେ ଏହି ଘଟଣାକୁ ରାଜ୍ୟର ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲ ଦୃଢ଼ ନିନ୍ଦା କରିବା ସହ ଦୋଷୀ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଥିଲା । ପୋଲିସ ସୀମା ଉଲ୍ଲଂଘନ କରିଥିବା ସେମାନେ ଦର୍ଶାଇବା ପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ । ଦାୟିତ୍ୱରେ ଥିବା ଏବଂ ତଦନ୍ତ ଅଧିନାରୀଙ୍କୁ ବଦଳି କରାଯାଇ ଜିଲ୍ଲା ମୁଖ୍ୟାଳୟକୁ ପଠାଇ ଦିଆଯାଇଛି ।