ଅଟକିଲା ରୁକୁଣା ରଥ: ନୀତିକାନ୍ତି ପରେ ରବିବାର ପୁଣି ଟାଣିବେ ଭକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ ମହାମାରୀ ଯୋଗୁଁ ପ୍ରାୟ ୨ ବର୍ଷ ପରେ ଭକ୍ତଙ୍କ ଉପସ୍ଥିତିରେ ଆୟୋଜିତ ହୋଇଛି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ । ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ଆରମ୍ଭ ହୋଇଥିଲା ରଥଟଣା । ତେବେ ବର୍ତ୍ତମାନ ପୁରୁଣା ଭୁବନେଶ୍ୱରର ତିନିମୁଣ୍ଡିଆ ଛକ ନିକଟରେ ଅଟକିଛି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ସୂର୍ଯ୍ୟାସ୍ତ ହୋଇଯିବାରୁ ରଥ ଟଣା ବନ୍ଦ ରଖାଯାଇଛି । ଆସନ୍ତାକାଲି ରବିବାର ସକାଳେ ନୀତିକାନ୍ତି ପରେ ପୁଣି ଥରେ ରଥ ଟଣାଯିବ ।

ସୂଚନା ମୁତାବିକ, ରୁକୁଣା ରଥଯାତ୍ରା ପାଇଁ କମିଶନରେଟ୍‌ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି । ଶ୍ରୀଲିଙ୍ଗରାଜ ମନ୍ଦିର, ରଥ ରୋଡ ଓ ଏହାର ଚତୁଃପାଶ୍ୱର୍କୁ ପୋଲିସ ଫୋର୍ସ ମୁତୟନ କରାଯିବ। ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଳାଟୁନ ଫୋର୍ସ ଓ ୯୦ ଜଣ ପୁଲିସ ଅଧିକାରୀ ନିୟୋଜିତ ହେବେ । ସେହିପରି ରଥଟଣା ଅପରାହ୍ଣ ସାଢେ ୩ଟାରେ ଆରମ୍ଭ ହୋଇ ସନ୍ଧ୍ୟା ସାଢେ ୭ଟାରେ ଶେଷ ହେବ ବୋଲି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାସ କହିଛନ୍ତି ।