fbpx

ବଢିଲା ଦୀପକ ଚହରଙ୍କ ମୁସ୍କିଲ, ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିପାରେ ବଡ ଝଟକା

ନୂଆଦିଲ୍ଲୀ: ଆଇପିଏଲରେ ଲଗାତାର ୪ ମୁକାବିଲା ହାରିଥିବା ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ ଝଟକା ଲାଗିପାରେ। ଚେନ୍ନାଇର ଦ୍ରୁତ ବୋଲର ଦୀପକ ଚହର ଆଇପିଏଲକୁ ଫେରିବା ନେଇ ମୁସ୍କିଲ ବଢି ଯାଇଛି। ସଂପ୍ରତି ନ୍ୟାସନାଲ କ୍ରିକେଟ୍ ଏକାଡେମୀ(ଏନସିଏ)ରେ ମଇଦାନକକୁ  ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି ଚଳାଇଥିବା ଦୀପକ ଚହର ଆଇପିଏଲର ପୂରା ସିଜିନରୁ ବାଦ୍ ପଡି ପାରନ୍ତି। ଏନସିଏରେ ପ୍ରସ୍ତୁତି ସମୟରେ ଚହରଙ୍କ ପିଠିରେ ଆଘାତ ଲାଗିଛି।

ତାଙ୍କ ଆଘାତ କେତେ ଗମ୍ଭୀର ରହିଛି ତାହା ଜଣା ପଡିନାହିଁ। ଚେନ୍ନାଇ ସୁପର କିଙ୍ଗ୍ସ ଚଳିତ ସିଜିନରେ ମୁସ୍କିଲ ସ୍ଥିତି ଦେଇ ଗତି କରୁଛି। ଦୀପକ ଚହର ପୂରା ସିଜିନରେ ବାଦ୍ ପଡିଲେ ଚେନ୍ନାଇ ପାଇଁ ବଡ ଝଟକା ହୋଇପାରେ। ଦୀପକ ଚହରଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ୧୪ କୋଟି ଟଙ୍କା ଦେଇ କିଣିଥିଲା। ଦୀପକ ଚହରଙ୍କ ଫିଟନେସ୍ ସମସ୍ୟା ଭାରତୀୟ ଦଳ ପାଇଁ ମଧ୍ୟ ଚିନ୍ତାର ବିଷୟ ହୋଇପାରେ। ଅକ୍ଟୋବରରେ ଖେଳାଯାଉଥିବା ଟି-୨୦ କପ ପୂର୍ବରୁ ଦୀପକ ଚହର କେମିତି ଫିଟ୍ ରହିବେ ତାହା ଉପରେ ଦଳ ପ୍ରବନ୍ଧକଙ୍କ ନଜର ରହିବ।

ମେଗା ନିଲାମରେ ଶାର୍ଦ୍ଦୁଳ ଠାକୁରଙ୍କୁ ହରାଇବା ପରେ ଚେନ୍ନାଇ ଦୀପକ ଚହରଙ୍କ ଉପରେ ୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ଚେନ୍ନାଇ ଏ ଯାଏଁ ଚାରି ମ୍ୟାଚ୍ ଖେଳି ଚାରୋଟିରେ ପରାଜିତ ହୋଇଛି। ଚେନ୍ନାଇର ବୋଲିଂ ନିରାଶଜନକ ରହିଛି। ନୂତନ ବଲରେ ଓ୍ଵିକେଟ୍ ନେବାରେ ମାହିର ଦୀପକ ଚହରଙ୍କ ଅନୁପସ୍ଥିତି ଚେନ୍ନାଇ ଦଳ ଖୁବ୍ ଅନୁଭବ କରୁଛି।

Get real time updates directly on you device, subscribe now.