ନୂଆଦିଲ୍ଳୀ: ଚଳିତ IPL ସିଜନ ଚେନ୍ନାଇ ପାଇଁ ଖୁବ ସଂଘର୍ଷପୂର୍ଣ୍ଣ ରହିଛି । ସବୁଠୁ ଅଧିକ ଦାମରେ କିଣାଯାଇଥିବା ବୋଲର ଦୀପକ ଚହରଙ୍କ ଫେରିବା ବାଟକୁ ଦଳ ଚାହିଁ ରହିଥିବା ବେଳେ ମିଳିଛି ଆଉ ଏକ ଦୁଃସମ୍ବାଦ । ଏହି ସିଜନରେ ଦୀପକ ସବୁଠୁ ଦାମୀ ବୋଲର ଭାବେ ଚେନ୍ନାଇ ଟିମରେ ସାମିଲ ହୋଇଛନ୍ତି । କିନ୍ତୁ ପ୍ରଥମ ସିଜନରେ ହିଁ ତାଙ୍କର ଖେଳିବା ନେଇ ଉଠିଛି ପ୍ରଶ୍ନବାଚୀ । ଫେବୃୟାରୀରେ ଆଘାତପ୍ରାପ୍ତ ହୋଇ ସେ ଦଳରୁ ବାଦ ପଡିଥିଲେ । ଏବେ ଚହରଙ୍କୁ ଲାଗିଛି ଆଉ ଏକ ଆଘାତ । ଯାହା ଫଳରେ ତାଙ୍କର IPLକୁ ଫେରିବା ସମ୍ଭାବନା ଆହୁରି କମିଯାଇଛି ।
ପ୍ରଥମ ୪ଟି ମ୍ୟାଚରେ ପରାଜୟ ବରଣ କରି ଚେନ୍ନାଇ ନିଜ ଆତ୍ମବିଶ୍ୱାସ ହରାଇଛି । ବିଭିନ୍ନ କ୍ଷେତ୍ରରେ ବାରମ୍ବାର ଫେଲ ମାରିବାରେ ଲାଗିଛି ଦଳ । ତେବେ ବୋଲିଂ କ୍ଷେତ୍ରରେ ଅଧିକ ଦୁର୍ବଳ ମନେ ହେଉଥିବା ଚେନ୍ନାଇ ଏବେ ଦୀପକ ଚହରଙ୍କୁ ଅପେକ୍ଷା କରି ରହିଛି । କିନ୍ତୁ ଏହି ଅପେକ୍ଷା ମଧ୍ୟରେ ଦଳକୁ ଆଉ ଏକ ଝଟକା ଲାଗିଛି । ଗୋଡରେ ଆଘାତ ଜନିତ ସମସ୍ୟାକୁ ନେଇ ଜାତୀୟ କ୍ରୀଡା ଏକାଡେମୀରେ ରହିଥିବା ଚହରଙ୍କୁ ଏବେ ପିଠିରେ ଆଘାତ ଲାଗିଛି । ଏପ୍ରିଲର ଦ୍ୱିତୀୟ ସପ୍ତାହ ସୁଦ୍ଧା ଚହର ସୁସ୍ଥ ହୋଇଯିବେ ବୋଲି କୁହାଯାଉଥିବା ବେଳେ ଏହି ଆଘାତ ଚେନ୍ନାଇ ପାଇଁ ଚିନ୍ତା ବଢାଇ ଦେଇଛି । ଆଘାତକୁ ଦେଖିଲେ ଜଣାପଡୁଛି ଯେ, ସେ ଟୁର୍ଣ୍ଣାମେଣ୍ଟକୁ ଫେରିବା ଏକ ପ୍ରକାର ଅସମ୍ଭବ ।
୪ଟି ମ୍ୟାଚ ଖେଳିସାରିଥିବା ଚେନ୍ନାଇ ଏବେ ବି ପ୍ରଥମ ବିଜୟର ଖୋଜରେ ରହିଛି । କିନ୍ତୁ ଏହି ସମୟରେ ଚହରଙ୍କ ଆଘାତ ଦଳ ପାଇଁ ଆଉ ଏକ ବଡ ଚିନ୍ତା ହୋଇ ଠିଆ ହୋଇଛି । ଗତ ଫେବୃୟାରୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଆଘାତ ପ୍ରାପ୍ତ ହୋଇ ଦଳରୁ ବାଦ ପଡିଥିଲେ ଚହର । ଏହାପରେ ଏନସିଏରେ ରହି ସେ ଅଭ୍ୟାସ କରୁଥିଲେ । ସେଥିପାଇଁ ଶ୍ରୀଲଙ୍କା ବିପକ୍ଷ ସିରିଜ ଏବଂ IPLର ପ୍ରଥମାର୍ଦ୍ଧରୁ ମଧ୍ୟ ସେ ବାଦ ପଡିଥିଲେ ।