ଋଷଭ ପନ୍ତ ସମେତ ଏହି ଦୁଇ ସଦସ୍ୟଙ୍କ ଉପରେ ଜରିମାନା ଲଗାଇଲା BCCI, କୋଚଙ୍କ ଉପରେ ଲାଗିଲା ବ୍ୟାନ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ନୋ ବଲ୍ ବିବାଦକୁ ଅଧିକ ବଢାଇବା ଏବଂ ମ୍ୟାଚରେ ବାଧା ଦେବା ଅପରାଧ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଋଷଭ ପନ୍ତଙ୍କ ଉପରେ ବିସିସିଆଇ ଜରିମାନା ଲଗାଇଛି। ପନ୍ତଙ୍କ ବ୍ୟତୀତ ଦଳର ବୋଲର ଶାର୍ଦ୍ଦୁଳ ଠାକୁର ଏବଂ ସହାୟକ କୋଚ୍ ପ୍ରବୀଣ ଆମରେଙ୍କ ଉପରେ ମଧ୍ୟ ଜରିମାନା ଲଗାଯାଇଛି। ମ୍ୟାଚ୍ ସମୟରେ ପଡିଆ ଭିତରକୁ ଯିବା ନେଇ ଠାକୁର ଏବଂ ଆମରେଙ୍କ ଉପରେ ଜରିମାନା ଲଗାଯାଇଛି।

ଦିଲ୍ଲୀ ଦଳର ଅଧିନାୟକ ଋଷଭ ପନ୍ତଙ୍କ ଉପରେ ମ୍ୟାଚ୍ ଫିର ୧୦୦ ପ୍ରତିଶତ ଫାଇନ୍ ଲାଗିଛି। କାରଣ ସେ ଗତକାଲି ମ୍ୟାଚରେ ଆଚାର ସଂହିତା ଉଲ୍ଲଂଘନ କରିଛନ୍ତି। ପନ୍ତ ଆଇପିଏଲର କୋଡ୍ ଅଫ କଣ୍ଡକ୍ଟ ଆଧାରରେ ଆର୍ଟିକିଲ ୨.୭ର ଲେବଲ ୨ ଉଲ୍ଲଂଘନ କରିଥିବା ସ୍ଵୀକାର କରିଛନ୍ତି।

ସେହି ପରି ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ଶାର୍ଦ୍ଦୁଳ ଠାକୁରଙ୍କ ଉପରେ ମ୍ୟାଚ୍ ଫିର ୫୦ ପ୍ରତିଶତ ଜରିମାନା ଲାଗିଛି। ସେ ମଧ୍ୟ ମାମଲାରେ ପନ୍ତଙ୍କ ସହ ଛିଡା ହୋଇଥିଲେ ଏବଂ ସେ ଆର୍ଟିକିଲ ୨.୮ର ଲେବଲ ୨କୁ ଉଲ୍ଲଂଘନ କରିଥିବାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଠାକୁର ମଧ୍ୟ ନିଜ ଦଣ୍ଡ ସ୍ଵୀକାର କରି ନେଇଛନ୍ତି।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍ ପ୍ରବୀଣ ଆମରେଙ୍କ ଉପରେ ମ୍ୟାଚ୍ ଫିର ୧୦୦ ପ୍ରତିଶତ ଜରିମାନା ଲାଗିଛି। କେବଳ ଏତିକି ନୁହେଁ ପ୍ରବୀଣ ଆମରେଙ୍କୁ ଗୋଟିଏ ମ୍ୟାଚରୁ ବାସନ୍ଦ କରାଯାଇଛି। ପ୍ରବୀଣ ଆମରେ ମ୍ୟାଚ୍ ରୋକିବା ପାଇଁ ପଡିଆକୁ ପଶିଥିଲେ। ସେ ଆର୍ଟିକିଲ ୨.୨ର ଲେବଲ ୨ ଉଲ୍ଲଂଘନ କରିଥିବା ସ୍ଵୀକାର କରିଛନ୍ତି।

Get real time updates directly on you device, subscribe now.