ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୦ ବର୍ଷ ଭିତରେ ଅପ୍ରେଲ ମାସରେ ଏଭଳି ତାତି ଓଡ଼ିଶା ବାସୀଙ୍କ ପାଇଁ କାଳ ପାଲଟିଛି । ସତେ ଯେପରି ଆକାଶରୁ ଅଗ୍ନିବର୍ଷା ହେଉଛି । କେବଳ ରାଜଧାନୀ ନୁହେଁ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟ ସ୍ଥିତି ସଂଗୀନ ରୂପ ଧାରଣ କରିଛି । ସାରା ରାଜ୍ୟରେ ଅସହ୍ୟ ଗରମ ସହ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆସନ୍ତା ୩ ଦିନ ପର୍ୟ୍ୟନ୍ତ ତାତିରୁ ମୁକ୍ତି ମିଳିବନି । ଏନେଇ ଆଇଏମ୍ଡି ପକ୍ଷରୁ ୫ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗୀର, ଖୋର୍ଦ୍ଧା ଓ ନୟାଗଡକୁ ଆସନ୍ତା ୨୪ ଘଣ୍ଟା ପାଇଁ ହିଟ୍ ୱେଭ୍ ସତର୍କ ସୂଚନା ଜାରି କରାଯାଇଛି ।
ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୩-୫ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ପୂର୍ବରୁ ଉପକୂଳରେ ତାତିର ପ୍ରଭାବ କମ୍ ରହିଥିବା ବେଳେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରଭାବ ସାଂଘାତିକ ରୂପ ଧାରଣ କରିଥିଲା । ତେବେ ଏବେ ଉଭୟ ଉପକୂଳ, ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା ଆଶାତୀତ ଭାବେ ବୃଦ୍ଧି ପାଇଛି । ଆଗକୁ ଏହା ଆହୁରି ଭୟଙ୍କର ରୂପ ନେବ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ଆସନ୍ତା ୩ ଦିନ ଭିତରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ରୁ ୪୩ ଡିଗ୍ରୀ ଭିତରେ ରହିବାକୁ ଥିବାବେଳେ ଆଭ୍ୟନ୍ତର ଓଡ଼ିଶାରେ ୪୩ରୁ ୪୬ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇବ । ଆସନ୍ତା ସପ୍ତାହେ ଯାଏଁ ଏଭଳି ତାତି ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବାପରେ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ପକ୍ଷରୁ ସବୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଦିନ ୧୧ଟା ଠାରୁ ଅପରାହ୍ଣ ସାଢ଼େ ୩ଟା ପର୍ୟ୍ୟନ୍ତ ପଦାକୁ ଯିବାର ଥିଲେ ଘରୁ ଆବଶ୍ୟକ ସତର୍କତା ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।