fbpx

୨୭ ମେ’ରେ କେରଳରେ ପାଦ ଥାପିବ ମୌସୂମୀ: ସାମାନ୍ୟ ବର୍ଷାର ପୂର୍ବାନୁମାନ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ଭୀଷଣ ଗରମର ପ୍ରକୋପ । ଏହି ଗରମରୁ ମୁକ୍ତି ପାଇବା ପାଇଁ ସାରା ଦେଶ ଅପେକ୍ଷା କରିଥିବା ବେଳେ ପାଣିପାଗ ବିଭାଗ ଦେଇଛି ଏକ ଆଶ୍ୱସ୍ତିକର ଖବର । ଆସନ୍ତା ମେ ୨୭ ତାରିଖରେ ମୌସୁମୀ କେରଳ ଛୁଇଁବ ବୋଲି ଭାତରୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମୌସୁମୀ ପ୍ରାୟତଃ ଜୁନ ୧ରୁ ପଦାର୍ପଣ କରୁଥିବା ବେଳେ ଚଳିତ ବର୍ଷ ସମୟ ପୂର୍ବରୁ ଦେଶରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି ।

ଆଇଏମଡି ମୁମ୍ବାଇ ଡିଭିଜନର ପ୍ରମୁଖ ଜୟନ୍ତ ସରକାର କହିଛନ୍ତି ଯେ, ମୌସୁମୀ ବର୍ଷା ଚଳିତ ବର୍ଷା ସ୍ୱାଭାବିକ ରହିବ । ୨୭ ମେ ରେ ମୌସୁମୀ ଦେଶରେ ପାଦ ଥାପିବା ପରେ ୫ ଦିନ ପର୍ଯ୍ୟନ୍ତ କୋଙ୍କଣ ଏବଂ ଗୋଆ ଅଞ୍ଚଳରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଏହାର ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ ପଶ୍ଚିମ ଆରବ ସାଗରର କିଛି ଅଞ୍ଚଳରେ ମୌସୁମୀ ଆସିପାରେ । ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହିଟୱେଭର କୌଣସି ଚିନ୍ତା ନଥିବା କହିଛି ପାଣିପାଗ ବିଭାଗ । ଅର୍ଥାତ ଏହି ଭୀଷଣ ଗରମରୁ ମୁକ୍ତି ପାଇବେ ଲୋକେ । ତେବେ ଓଡିଶା ସମେତ ତାମିଲନାଡୁ, ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ, ଆସାମ ଏବଂ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ଉତ୍ତରାଖଣ୍ଡ, ବିଦର୍ଭ ଏବଂ ହରିୟାଣାରେ କୁଆପଥର ପଡିବା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଦେଶରେ ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଉତ୍ତର, ଦକ୍ଷିଣ ଏବଂ ଉତ୍ତର-ପୂର୍ବ ଭାରତର କିଛି ଅଂଶରେ ବର୍ଷାର ପରିମାଣ କମ ରହିପାରେ । ଗତ ୧୭ ବର୍ଷ ମଧ୍ୟରେ ୨୦୧୫ ବ୍ୟତୀତ ଅନ୍ୟ ସବୁ ବର୍ଷରେ ମୌସୁମୀକୁ ନେଇ ପାଣିପାଗ ବିଭାଗର ଆଳନ ସଠିକ ରହିଛି ।

Get real time updates directly on you device, subscribe now.