fbpx

ରଜରେ ଓଡ଼ିଶାକୁ ଭିଜାଇବ ମୌସୁମୀ ବର୍ଷା, ତାତିରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଚାଷୀମାନଙ୍କ ପାଇଁ ଖୁସି ଖବର । ଖୁବ୍‌ ଶୀଘ୍ର ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ଗତ କିଛି ଦିନ ହେବ ସାରା ରାଜ୍ୟରେ ଲାଗି ରହିଥିବା ପ୍ରବଳ ତାତିରୁ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିବ ।

ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ,ସମ୍ଭବତଃ ରଜ ଭିତରେ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ୪ରୁ ୫ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ପହଞ୍ଚିବା ନେଇ ପାଗ ମଧ୍ୟ ଅନୁକୂଳ ରହିଛି । ଏବେ ମୌସୁମୀ ବାୟୁ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ଛୁଇଁ ସାରିଲାଣି । ତେବେ ଯଦି ଆସନ୍ତା ସପ୍ତାହରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଏଁ ତେବେ ସାରା ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଅନ୍ୟପକ୍ଷରେ ରବିବାର ଠାରୁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇବାକୁ ଥିବାବେଳେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହେବ । ଶନିବାର ଠାରୁ ରାଜ୍ୟର କିଛି ଜିଲ୍ଲାରେ ତାତି କମିବା ସହ ପାଗ ବଦଳିବା ଲକ୍ଷ୍ୟ କରାଯାଇଛି ।ଆକାଶ ମେଘାଚ୍ଛନ୍ନ ରହିବା ସହିତ ଗୁଳୁଗୁଳି ହ୍ରାସ ପାଇଛି । କିଛି ଜିଲ୍ଲାରେ ଝିିପିଝିିପି ବର୍ଷା ମଧ୍ୟ ହୋଇଛି । ଅନ୍ୟପକ୍ଷରେ ରାଜ୍ୟରେ କାଳବୈଶାଖୀ ସକ୍ରିୟ ରହିଛି । ବିଭିନ୍ନ ଜିଲ୍ଳାରେ ଘଡ଼ଘଡ଼ି ବିଜୁଳି ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ୧୩ ତାରିଖ ପୂର୍ବରୁ ମୌସୁମୀ ଓଡ଼ିଶା ଆସିବାର ସମ୍ଭାବନା ନାହିଁ ବୋଲି ୨ ଦିନ ପୂର୍ବେ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର କୁମାର ଜେନାମଣୀ ସୂଚନା ଦେଇଥିଲେ । ସେ କହିଥିଲେ, ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁଲାଣି । ଦକ୍ଷିଣ ଭାରତରେ ବି ମୌସୁମୀର ଅଗ୍ରଗତି ଉତ୍ସାହଜନକ ରହିଛି । ଦକ୍ଷିଣ ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକ ଓ ଆନ୍ଧ୍ର୍ରଦେଶର କିଛି ଅଞ୍ଚଳରେ ୫ ଦିନ ଭିତରେ ମୌସୁମୀ ଛୁଇଁବ ବୋଲି ଶ୍ରୀ ଜେନାମଣୀ କହିଥିଲେ ।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ମୌସୁମୀ ପ୍ରଭାବରେ ରାଜ୍ୟରେ ସ୍ୱାଭାବିକ ବର୍ଷା ଠାରୁ ଅଧିକ ପରିମାଣ ବର୍ଷା ହେବ ବୋଲି ପାଣିାଗ ବିଭାଗ ପୂର୍ବାନୁମାନ କରିଥିଲା । ବିଶେଷ କରି ଜୁନ୍‌ରେ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଥିଲା । ତେବେ ଇତିମଧ୍ୟରେ ୨ ସପ୍ତାହ ପୁରିବାକୁ ବସିଥିବାବେଳେ ବର୍ଷାର ଦେଖାଦର୍ଶନ ନାହିଁ ।

Get real time updates directly on you device, subscribe now.