fbpx

ବରଫ ଝଡର ସାମନା କରି ହାମ୍ପତା ପାସ ଆରୋହଣ କଲେ ୨୪ ଓଡିଆ

ନୂଆଦିଲ୍ଲୀ: ହାଡ ଭଙ୍ଗା ଶୀତ ସହିତ ବରଫ ଝଡ । ତା ଉପରେ ମାଇନସ ୫ଡିଗ୍ରୀରୁ ମାଇନସ ୧୦ଡିଗ୍ରୀ ସେଲସିୟସ ତାପମାତ୍ରାର ପାରଦ । ଏତେ ସବୁ ଅସୁବିଧାର ଆରପାରିରେ ରହିଛି ସେମାନଙ୍କର ଲକ୍ଷ୍ୟ, ହାମ୍ପତା ପାସ ପାହାଡ । ଯାହାର ଉଚ୍ଚତା ୧୪,୦୬୫ ଫୁଟ । କିନ୍ତୁ ମନରେ ଥିବା ସାହସ ଏବଂ ଦୃଢ ଇଚ୍ଛାଶକ୍ତି ଫଳରେ ଆଜି ସବୁ ବାଧାବିଘ୍ନକୁ ଏଡାଇ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ଓଡିଶାର ୨୪ ଜଣ ସାହସୀ ପ୍ରତିଭା । କଳିଙ୍ଗ ଡେୟାରଡେଭିଲ୍ସ ଏବଂ ଥ୍ରୀଲୋଫିଲିଆର ମିଳିତ ଆନୁକୁଲ୍ୟରେ ଚୟନ ହୋଇଥିବା ୨୪ ଜଣ ଓଡିଆ ଯୁବକ ସେଠାରେ ତ୍ରୀରଙ୍ଗା ପତାକା ଉଡାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ସୂଚନା ଅନୁସାରେ, ଗତ ୮ ତାରିଖରେ ହିମାଚଳ ପ୍ରଦେଶର ଯୋବ୍ରାଠାରୁ ଆରୋହଣର ଏହି ଯାତ୍ରା ଆରମ୍ଭ ହୋଇଥିଲା । ସର୍ବନିମ୍ନ ତାପମାତ୍ରାର ପୋଷାକ ଏବଂ ସମସ୍ତ ଉପଯୋଗୀ ଉପକରଣ ସାଙ୍ଗରେ ଧରି ସାହସର ସହ ଯାତ୍ରା ଆରମ୍ଭ କରିଥିଲେ ୨୪ ଜଣ ଓଡିଆ ପ୍ରତିଭା । ଏହି ଦଳରେ ଭୁବନେଶ୍ୱରର ଦେବବ୍ରତ ନାୟକ, ପ୍ରକାଶ ଶତପଥୀ, ଶୁଭଙ୍କର ମହାନ୍ତି, ଦୀପକ ରଞ୍ଜନ ଦାଶ, ମିଲନ ମନୋହର ପ୍ରିୟାର୍ଜନ ଏବଂ ଡମ୍ବରୁ ବେହେରା ସାମିଲ ହୋଇଥିଲେ । ଏମାନଙ୍କ ବ୍ୟତୀତ ନୂଆପହାରୁ ସଚିନ ବେହେରା ଏବଂ ଶୋଭନରଥ, ବଲାଙ୍ଗୀର ଜିଲ୍ଲାରୁ ଅମନ ଛତ୍ରିଆ, ସୌରଭ ସମ୍ବିତ ତ୍ରିପାଠୀଙ୍କ ସହିତ ଦେବଗଡରୁ ବିଶ୍ୱଜିତ ପାଢୀ ଏବଂ ରାଉରକେଲାର ବିଶୁ ସିଂ ମଧ୍ୟ ଏହି ଦଳରେ ରହି ଓଡିଶା ପାଇଁ ଖ୍ୟାତି ଆଣିଛନ୍ତି ।

ସେହିପରି କେନ୍ଦୁଝରରୁ ଅରୁଣ କୁମାର ମହାନ୍ତ, କଳାହାଣ୍ଡି ଜିଲ୍ଲାରୁ ନୃସିଂହ ଚରଣ ପଣ୍ଡା, ସ୍ୱରାଜ ରାଉତ, ରେଶବ ପାଣିଗ୍ରାହୀ, ଜ୍ୟୋତିଶ କୁମାର ବାଗ, ଅଭିଜିତ ଦାଶ, ଜିତେନ୍ଦ୍ର କୁମାର ନାଏକ, ଜିତେନ୍ଦ୍ର ସାହୁ, ଯଶୋବନ୍ତ ଧଙ୍ଗହାମାଝୀ, ସୌମ୍ୟରଞ୍ଜନ ରାଉତ ଏବଂ ଠାକୁର ସେନାପତି ଦଳର ସଦସ୍ୟ ଭାବେ ପର୍ବତ ଆରୋହଣ କରିବାରେ ସଫଳତା ହାସଲ କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ରାଜ୍ୟସଭା ସାଂସଦ ସୁଜୀତ କୁମାର ଏବଂ ଆୟକର ବିଭାଗର ଆସିଷ୍ଟାଣ୍ଟ କମିଶନର ହୃଦୟ ଦାସ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତେବେ ଶୁଭାକାମନା ଜଣାଇଥିଲେ ଆଇଜିପି ଅମିତାଭ ଠାକୁର । କଳିଙ୍ଗ ଡେୟାରଡେଭିଲ୍ସର ସଭାପତି ଡ. ସତ୍ୟପୀର ପ୍ରଧାନ ସମସ୍ତଙ୍କ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଏହି ଓଡିଆ ଯୁବକମାନଙ୍କ ବିରାଟ ସଫଳତାକୁ ଏବେ ବିଭିନ୍ନ ସ୍ଥାନରେ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.