କାହିଁକି ବିହାରରେ ହେଉଛି “ଅଗ୍ନିପଥ ଯୋଜନା”ର ବିରୋଧ, ଜାଣନ୍ତୁ କାରଣ

କେନ୍ଦ୍ର ସରକାର ଦେଶର ତିନି ପ୍ରମୁଖ ସେନାରେ ଭର୍ତ୍ତି ହେବା ପାଇଁ ଆଣିଛନ୍ତି “ଅଗ୍ନିପଥ ଯୋଜନା” । ଅଗ୍ନିପଥ ଯୋଜନା ଅନୁସାରେ ଯୁବକମାନେ ଚାରିବର୍ଷ ପାଇଁ ସେନାରେ ଭର୍ତ୍ତି ହେବେ । କମ୍ ବୟସର ଯୁବକମାନେ ୪ବର୍ଷ କାର୍ଯ୍ୟ କରିବା ପରେ ଚାକିରୀରୁ ଅବସର ନେବେ । ୪ବର୍ଷ ପରେ ନିଯୁକ୍ତି ପାଇଥିବା ଯୁବକମାନଙ୍କ ମଧ୍ୟରୁ କେବଳ ୨୫ ପ୍ରତିଶତ ସେନାରେ ସ୍ଥାୟୀ ଭାବେ ନିଯୁକ୍ତି ପାଇବେ । କିନ୍ତୁ ଏହାକୁ ନେଇ ଏବେ ଚାରିଆଡେ ବିକ୍ଷୋଭ ଦେଖିବାକୁ ମିଳୁଛି ।

ଏହି ଯୋଜନା ଘୋଷଣା ହେବା ପରଠାରୁ ସବୁଠାରୁ ଅଧିକ ମାତ୍ରାରେ ବିହାରରେ ଦେଖାଦେଇଛି ବିବାଦ । ବିହାର ପରେ ଏବେ ହରିୟାଣା, ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏହାର ବିରୋଧରେ ଛାତ୍ରମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଭଙ୍ଗାରୁଜା କରିବାର ଘଟଣା ଏବେ ସାରା ଦେଶରେ ମୁଖ୍ୟ ବିଷୟ ପାଲଟିଛି । ତେବେ କେଉଁ କାରଣରୁ ଏହି ଯୋଜନାକୁ ନେଇ ବିଶେଷକରି ବିହାରରେ ବିବାଦ ଦେଖାଦେଇଛି ଆସନ୍ତୁ ଜାଣିବା…

ପ୍ରଥମ କାରଣ: କ’ଣ ପାଇଁ ୪ବର୍ଷ?
ବିହାରର ଜହନାବାଦ ଏବଂ ଛପରା ସମେତ ବହୁ ସ୍ଥାନରେ ଏହି ଯୋଜନାକୁ ବିରୋଧ କରି ଯୁବକମାନେ ରାଜରାସ୍ତାକୁ ଓହ୍ଲାଇବା ସହ ପୋଡାଜଳା ଏବଂ ଭଙ୍ଗାରୁଜା କରୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି । ପ୍ରଦର୍ଶନକାରୀଙ୍କ ଅଭିଯୋଗ ଅନୁଯାୟୀ, ସେନାରେ ଭର୍ତ୍ତି ହେବା ପାଇଁ ଆମେ ସମସ୍ତ ପ୍ରକାରର ଚେଷ୍ଟା କରୁଛୁ । ଟ୍ରେନିଂ ଏବଂ ଛୁଟି ମିଶାଇ କେଉଁଭଳି ଚାକିରିଟି ୪ ବର୍ଷ ସମ୍ଭବ ? ସଟ୍ ସର୍ଭିସ୍ କମିଶନ ଅନୁସାରେ ଚାକିରିଟିଏ ଅତିକମରେ ୧୦ ରୁ ୧୨ ବର୍ଷ ପର୍ଯ୍ୟନ୍ତ ହେବା ଜରୁରୀ । ଏହି ଯୋଜନା ଅନୁସାରେ ୪ବର୍ଷ ପରେ ୭୫ ପ୍ରତିଶତ ଯୁବକଙ୍କୁ ଚାକିରିରୁ ରିଟାୟର ନେବାକୁ ପଡିବ । ଏହାପରେ ଆମ ଭବିଷ୍ୟତ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ । ଏହି କାରଣରୁ ଯୋଜନାକୁ ବନ୍ଦ କରିବାକୁ ଦାବି ହେଉଛି ।

ଦ୍ୱିତୀୟ କାରଣ:୪ବର୍ଷ ପରେ କ’ଣ ହେବ ଭବିଷ୍ୟତ ?
ଏହି ଯୋଜନା ଅନୁସାରେ ୪ବର୍ଷ ପରେ ୭୫ ପ୍ରତିଶତ ଯୁବକଙ୍କୁ ଚାକିରୀରୁ ବାହାର କରିଦିଆଯିବ । ତେବେ ଏହି ୭୫ ପ୍ରତିଶତ ଯୁବକ ୪ବର୍ଷ ପରେ କ’ଣ କରିବେ ବୋଲି ପ୍ରଦର୍ଶନକାରୀମାନେ ପ୍ରଶ୍ନ କରିଛନ୍ତି । ଏହାକୁ ନେଇ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏକ୍ସ ଆର୍ମି ଅଫିସର କ୍ୟାପଟେନ୍ ଅମରିନ୍ଦର ସିଂ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ସାଢ଼େ ୧୭ ବର୍ଷରେ ଅଗ୍ନିବୀର ହୋଇଥିବା ଯୁବକମାନଙ୍କ ଠାରେ ନାଁ ଉଠିତ୍ ସାର୍ଟିଫିକେଟ୍ ଥିବ, ଯାହାଫଳରେ ସେ ପରବର୍ତ୍ତୀ ସମୟରେ ଅନ୍ୟକୌଣସି ଚାକିରୀରେ ନିଯୁକ୍ତି ହେବାର ସୁଯୋଗ ପାଇପାରିବେ ନାହିଁ । ସୂଚନାଥାଉ କି, ଏହାକୁ ନେଇ କେନ୍ଦ୍ର ସରକାର ପକ୍ଷରୁ ଯୁକ୍ତି କରାଯାଇଛି ଯେ, ଅଗ୍ନିବୀର ଯୁବକ ରିଟାୟର ପରେ ପୁନର୍ବାର ଅନ୍ୟ କ୍ଷେତ୍ରରେ ଚାକିରୀ ପାଇବାର ସୁଯୋଗ ପାଇପାରିବେ ।

ପ୍ରଦର୍ଶନକାରୀଙ୍କ ଡିମାଣ୍ଡ
ଅଗ୍ନିପଥ ଯୋଜନାକୁ ବିରୋଧ କରି ବିହାରର ବିଭିନ୍ନ ସ୍ଥାନରେ ଯୁବକଙ୍କ ନାରାବାଜୀ ସହ ପୋଡାଜଳା ଓ ଭଙ୍ଗାରୁଜା ଦେଖିବାକୁ ମିଳିଛି । ପ୍ରଦର୍ଶନକାରୀଙ୍କ ଡିମାଣ୍ଡ ଅନୁଯାୟୀ, ବହୁଦିନ ଧରି ସେନାରେ ଭର୍ତି ହେବା ନେଇ କୌଣସି ପୋଷ୍ଟ ବାହାରିନାହିଁ । ଯେଉଁ କାରଣରୁ ଯୁବକମାନେ ପରିଶ୍ରମ କରିବା ସତ୍ତ୍ୱେ ଏଯାବତ୍ କୌଣସି ଫଳ ମିଳିପାରିନାହିଁ । ସେଥିପାଇଁ ଖୁବଶୀଘ୍ର ରାଲିର ଆୟୋଜନ କରାଯିବା ସହ ପରୀକ୍ଷା ମଧ୍ୟ କରାଯାଉ । ଏହାବ୍ୟତୀତ ଅଟକି ରହିଥିବା ନିଯୁକ୍ତିର ଖୁବଶୀଘ୍ର ସମାଧାନ କରାଯାଉ । ଏଥିସହ ନୂଆକରି ବାହାର କରାଯାଇଥିବା ଯୋଜନାକୁ ବନ୍ଦ କରାଯାଉ । ଯୁବକମାନେ ଆହୁରି କହିଛନ୍ତି ଯେ, ସେନାରେ ଭର୍ତ୍ତି ହେବା ପାଇଁ ପୂର୍ବରୁ ଯେଉଁ ନିୟମ ପାଳନ କରାଯାଉଥିଲା, ସେହି ଉପାୟରେ ଏବେ ନିଯୁକ୍ତି ଦିଆଯାଉ ।

ସୂଚନାଥାଉ କି, ବିହାରର ମୁଙ୍ଗେର, ଜହାନାବାଦ, ଛପରା ଏବଂ ତମାମ ଜିଲ୍ଲା ପରେ ଏବେ ଉତ୍ତରପ୍ରଦେଶର ଗୋରଖପୁର, ବୁନ୍ଦେଲଖଣ୍ଡ, ବରେଲୀଠାରେ ଏହି ଯୋଜନାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁବକମାନେ । ଏହାବ୍ୟତୀତ ରାଜସ୍ଥାନ, ହରିୟାଣାରେ ମଧ୍ୟ ସମାନ ପ୍ରକାରର ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି ।