ଚେସ୍‌ ଅଲିମ୍ପିଆଡ୍‌ ମଶାଲ ଶୋଭଯାତ୍ରାର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ, ପ୍ରତିଯୋଗିତାରେ ଭାଗ ନେବେ ବିଶ୍ୱର ୧୮୯ ଦେଶର ପ୍ରତିଯୋଗୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବ ୪୪ତମ ଚେସ ଅଲିମ୍ପିଆଡ । ୧୯୨୭ ମସିହାରୁ ଏହା ଆରମ୍ଭ ହୋଇ ଥିଲେ ହେଁ ଭାରତ କେବେ ଏହି ସମ୍ମାନ ଜନକ ଅଲିମ୍ପିଆଡ ଆୟୋଜନ କରିବା ସୁଯୋଗ ପାଇ ନ ଥିଲା । ମାତ୍ର ଚଳିତ ବର୍ଷ ଭାରତକୁ ମିଳିଛି ଏହି ଅପୂର୍ବ ସୁଯୋଗ । ଅନ୍ୟ ପକ୍ଷରେ ଗତ ୩୦ ବର୍ଷଧରି ଏସିଆ ମହାଦେଶର କୌଣସି ଦେଶରେ ମଧ୍ୟ ଏହି ଅଲିମ୍ପିଆଡ ଆୟୋଜନ ହୋଇ ନ ଥିଲା । ତେଣୁ ଭାରତୀୟ ଚେସ ପାଇଁ ଏହା ଏକ ନୂଆ ଇତିହାସ ହେବାକୁ ଯାଉଛି । ତେବେ ଭାରତ ଏହି ଅଲିମ୍ପିଆଡକୁୂ ଏକ ନିଆରା ଢ଼ଙ୍ଗରେ ଆୟୋଜନ କରିବା ପାଇଁ ଯୋଜନା କରିଛି । ଏହି ପ୍ରତିଯୋଗିତାରେ ବିଶ୍ୱର ୧୮୯ ଦେଶର ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ । ଏଥିରେ ବହୁ ପ୍ରଖ୍ୟାତ ଗ୍ରାଣ୍ଡ ମାଷ୍ଟର ଓ ସୁନାମ ଧନ୍ୟ ଖେଳାଳିଙ୍କୁ ଦେଖିବାକୁ ମିଳିବ । ତେବେ ସବୁଠାରୁ ଗୁରୁତ୍ୱୂର୍ଣ୍ଣ ବିଷୟ ହେଲା ଯେ ପ୍ରଥମ ଥର ପାଇଁ ଚେସ ଅଲିମ୍ପିଆଡରେ ଆରମ୍ଭ ହେବ ମଶାଲ ଶୋଭଯାତ୍ରା । ପୂର୍ବରୁ କୌଣସି ଚେସ ଅଲିମ୍ପିଆଡରେ ଏହି ପରମ୍ପରା କାର୍ଯ୍ୟକାରୀ ହୋଇ ନ ଥିଲା । ମାତ୍ର ଭାରତୀୟ ଚେସ ମହାସଂଘ ଓ ଅନ୍ତର୍ଜାତୀୟ ଚେସ ମହାସଂଘ(ଫିଡେ) ମିଳିତ ଏହି ପରମ୍ପରା ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ସୂଚନା ଯୋଗ୍ୟ ଯେ କେବଳ ଅଲିମ୍ପିକ୍‌ କ୍ରୀଡା ଆରମ୍ଭ ପୂର୍ବରୁ ମଶାଲ ଶୋଭଯାତ୍ରା ଆୟୋଜନ କରାଯାଇ ଥାଏ । ତେବେ ଚଳିତ ବର୍ଷ ଚେସ ଅଲିମ୍ପିଆଡରେ ଅଲିମ୍ପିକ ଶୈଳୀରେ ଆରମ୍ଭ ହେବ ମଶାଲ ଶୋଭାଯାତ୍ରା । ଆସନ୍ତା ୧୯ ତାରିଖ ଦିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମଶାଲ ଶୋଭାଯାତ୍ରାକୁ ଉଦଘାଟନ କରିବେ । ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଏହି ମଶାଲ ଶୋଭଯାତ୍ରାର ଶୁଭାରମ୍ଭ ହେବ । ଫିଡେ ସଭାପତି ଆରମାଡି ଭୋରକେରଭିକ ପ୍ରଥମେ ଏହି ମଶାଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିବା ପରେ ପ୍ରଧାନମନ୍ତ୍ରୀ ଏହାକୁ ଭାରତୀୟ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କୁ ହସ୍ତାନ୍ତର କରିବେ । ଭାରତର ୭୫ ସହର ପରିକ୍ରମା କରିବା ପରେ ଏହି ମଶାଲ ଶୋଭାଯାତ୍ରା ଆୟୋଜକ ନଗରୀ ଚେନ୍ନାଇ ନିକଟସ୍ଥ ମହାବଳୀପୁରମରେ ପହଞ୍ଚିବ । ତେବେ ଚଳିତ ବର୍ଷ ଗ୍ରହଣ କରା ଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆଗାମୀ ସମୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଚେସ ଅଲିମ୍ପିଆଡ ମଶାଲ ଶୋଭଯାତ୍ରା ଭାରତରୁ ଆରମ୍ଭ ହେବ । କାରଣ ଭାରତ ହେଉଛି ଚେସର ଜନ୍ମ ସ୍ଥଳୀ । ତେଣୁ ଭାରତରୁ ମଶାଲ ଶୋଭଯାତ୍ରା ଆରମ୍ଭ ହେବା ପରେ ଏହା ଫିଡେ ସହିତ ଅନୁବନ୍ଧିତ ସମସ୍ତ ଦେଶ ପରିକ୍ରମା କରିବ । ମାତ୍ର ଚଳିତ ବର୍ଷ ସମୟ ସ୍ୱଳ୍ପତା ଦୃଷ୍ଟିରୁ କେବଳ ଭାରତର ବିଭିନ୍ନ ସହର ପରିକ୍ରମା କରିବ । ତେଣୁ ଏହି ନୂଆ ପରମ୍ପରା ଭାରତୀୟ ଚେସ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ।