fbpx

ଏମ ଭେଙ୍କେୟା ନାଇଡୁ ହେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ? ଉପ ରାଷ୍ଟ୍ରପତିଙ୍କ ଭେଟିଲେ ଶାହ-ନଡା-ରାଜନାଥ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ କାହାକୁ କରାଯିବ ପ୍ରାର୍ଥୀ ? ଏହାକୁ ନେଇ ମାନସ ମନ୍ଥନ ଚଲାଇଛନ୍ତି ଶାସକ ବିଜେପି ଏବଂ ବିରୋଧୀ ଦଳ। ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ଉପରେ ବିଜେପିର ଆଜି ହେବାକୁ ଥିବା ଗୁରୁତ୍ଵପୂର୍ଣ୍ଣ ବୈଠକ ପୂର୍ବରୁ ଏହି ସାକ୍ଷାତ ହୋଇଛି।

ଏହା ପରେ ଏହାକୁ ନେଇ କଳ୍ପନା ଜଳ୍ପନା ଜୋର ଧରିଛି ଯେ, କଣ ଶାସକ ଏନଡିଏ ପକ୍ଷରୁ ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ? ରାଜନାଥ ସିଂହ ଏବଂ ନଡ୍ଡାଙ୍କୁ ରାଷ୍ଟ୍ରପତି ନିର୍ବାଚନ ଉପରେ ବିରୋଧୀ ଦଳ ସହିତ ଆଲୋଚନା କରିବାର ଦାୟିତ୍ଵ ଦିଆଯାଇଛି।

ନାଇଡୁଙ୍କ ସହ ଶାହ, ସିଂହ ଏବଂ ନଡ୍ଡାଙ୍କ ସାକ୍ଷାତ ଏଥିପାଇଁ ଗୁରୁତ୍ଵ ବହନ କରୁଛି କାରଣ ଆଜି ବିଜେପିର ସଂସଦୀୟ ବୋର୍ଡର ବୈଠକ ବସୁଛି। ବୈଠକରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ନାମ ଉପରେ ବିଚାର ବିମର୍ଶ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଯୋଗ ଦେଇ ପାରନ୍ତି।

ନଡ୍ଡା ଏବଂ ରାଜନାଥ ସିଂହ ରାଷ୍ଟ୍ରପତି ପଦର ପ୍ରାର୍ଥୀଙ୍କ ନାମ ଉପରେ ସହମତି ପାଇଁ ଏ ପର‌୍ୟ୍ୟନ୍ତ ଏନସିପି ନେତା ଶରଦ ପାଓ୍ଵାର, ଟିଏମସି ନେତ୍ରୀ ମମତା ବାନାର୍ଜୀ, ଜେଡିୟୁ ପ୍ରମୁଖ ନୀତିଶ କୁମାର, ବିଜେଡି ପ୍ରମୁଖ ନବୀନ ପଟ୍ଟନାୟକ ଏବଂ ନ୍ୟାସନାଲ କନଫରେନ୍ସର ପ୍ରମୁଖ ଫାରୁକ ଅବଦୁଲ୍ଲାଙ୍କ ସହିତ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟା ବଳ ଆଧାରରେ ବିଜେପି ନେତୃତ୍ଵାଧୀନ ଏନଡିଏ ମଜବୁତ ସ୍ଥିତିରେ ରହିଛି। ଯଦି ବିଜୁ ଜନତା ଦଳ ଏବଂ ଓ୍ଵାଇଏସଆର କଂଗ୍ରେସ ପରି ଦଳର ସମର୍ଥନ ମିଳିଯାଏ ତେବେ ଏନଡିଏର ବିଜୟ ସୁନିଶ୍ଚିତ ହୋଇଯିବ।

 

Get real time updates directly on you device, subscribe now.