fbpx

ନିଜ ବାହାଘରରେ ସାଙ୍ଗକୁ ଗୁଳି ମାରିଲା ବର: ମାତଙ୍ଗରେ ବଦଳିଲା ଖୁସି, ଦେଖନ୍ତୁ Live ଫୁଟେଜ୍

ନୂଆଦିଲ୍ଲୀ: ଏବେ ବାହାଘର ଋତୁ ଚାଲିଥିବା ବେଳେ ଅନେକ ଭିଡିଓ ସାମ୍ନାକୁ ଆସୁଛି । କିନ୍ତୁ ଉତ୍ତରପ୍ରଦେଶର ସୋନଭଦ୍ର ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବର ନିଜ ବାହାଘରରେ ସାଙ୍ଗକୁ ଗୁଳିକରି ହତ୍ୟା କରିଥିବା ଦେଖିବାକୁ ମିଳିଛି । ଜିଲ୍ଲାର ବ୍ରହ୍ମାନଗର ଅଞ୍ଚଳରେ ଘଟିଥିବା ଏହି ଘଟଣାର ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ଉତ୍ସବର କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ଅନୁସାରେ, ସୋନଭଦ୍ର ଅଞ୍ଚଳରେ ମନୀଷ ମଧେଷିଆ ଏକ ଘୋଡ଼ାଗାଡ଼ିରେ ବସି ବିବାହ ପାଇଁ ଯାଉଥିଲେ । ସେଠାକାର ରୀତି ଅନୁଯାୟୀ ବରଯାତ୍ରୀରେ ଗୁଳି ଫୁଟେଇବାକୁ ସେ ଇଚ୍ଛା କରିଥିଲେ । ବାବୁ ଲାଲ ଯାଦବ ନାମକ ସାଙ୍ଗ ସେହି ବରଯାତ୍ରୀରେ ସାମିଲ ଥିଲେ । ସେ ସେନାରେ କାର୍ଯ୍ୟ କରନ୍ତି ।

ବାବୁ ଲାଲଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ନେଇ ମନୀଷ ଘୋଡ଼ା ଗାଡ଼ି ଉପରୁ ଆକାଶକୁ ଗୁଳି ଚଳାଇଥିଲେ । କିନ୍ତୁ ଭୁଲ୍ ବଶତଃ ଗୁଳି ବାବୁ ଲାଲଙ୍କ ଦେହରେ ବାଜିଥିଲା । ସଙ୍ଗେସଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ପରେ ଗୁଳି ଚଳାଇଥିବା ବରକୁ ପୋଲିସ ଗିରଫ କରିଛି । ଘଟଣା ସଂପର୍କରେ ବାବୁଲାଲଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଭାରତରେ କୌଣସି ପ୍ରକାର ଉତ୍ସବରେ ଭିଡ଼ ବେଳେ ଗୁଳି ଫୁଟାଇବା ଅପରାଧ । ବନ୍ଧୁକ ଲାଇସେନ୍ସ ଯୋଗ୍ୟ ହୋଇଥିଲେ ବି ଏହା ଦଣ୍ଡନୀୟ ଅପରାଧ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.