fbpx

ଉଦ୍ଧବଙ୍କୁ ପୁଣି ଥରେ ସୁପ୍ରିମକୋର୍ଟରୁ ଲାଗିଲା ଝଟକା, ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କଲେ କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶିବସେନାର ଉଦ୍ଧବ ଠାକରେ ଗୋଷ୍ଠୀକୁ ପୁଣି ଥରେ ଲାଗିଛି ଝଟକା। କୋର୍ଟ ଏକନାଥ ସିନ୍ଦେ ସମେତ ୧୬ ବିଧାୟକଙ୍କ ଅଯୋଗ୍ୟତା ଉପରେ ତତ୍କାଳ ଶୁଣାଣି କରିବାକୁ ମନା କରିଛନ୍ତି। ଜୁଲାଇ ୧୧ରେ ଅନ୍ୟ କେସ ସହିତ ଏହି ମାମଲାର ଶୁଣାଣି କରିବାକୁ କୋର୍ଟ ତାରିଖ ଧାର‌୍ୟ୍ୟ କରିଛନ୍ତି। ଏହି ଦିନ ବହୁମତ ପରୀକ୍ଷଣକୁ ଚ୍ୟାଲେଞ୍ଜ କରି ଦାୟର ଆବେଦନ ସମେତ ସମସ୍ତ ମାମଲାର ଏକ ସଙ୍ଗେ ଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି।

ବିଧାୟକ ତଥା ଶିବସେନାର ମୁଖ୍ୟ ସଚେତକ ସୁନୀଲ ପ୍ରଭୁଙ୍କ ପକ୍ଷରୁ ଏହି ଆବେଦନ ଦାଖଲ କରାଯାଇଥିଲା। ଏଥିରେ ଉଲ୍ଲେଖ ରହିଛି ଯେ, ଏକନାଥ ସିନ୍ଦେଙ୍କ ସମେତ ୧୬ ବିଧାୟକଙ୍କୁ ଅଯୋଗ୍ୟତା ନୋଟିସ୍ ଜାରି କରାଯାଇଛି। ଏହାର ନିଷ୍ପତ୍ତି ନହେବା ଯାଏ ସେମାନଙ୍କୁ ବିଧାନସଭାରେ ପ୍ରବେଶ ଉପରେ ରୋକ୍ ଲାଗିବା ଉଚିତ୍। ଏପରିକି ନିଷ୍ପତ୍ତି ନହେବା ଯାଏଁ ଏହି ସବୁ ବିଧାୟକଙ୍କୁ ନିଲମ୍ବିତ କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ସୁନୀଲ ପ୍ରଭୁଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ ହାଜର ହୋଇଥିଲେ। ହେଲେ କୋର୍ଟ ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ଏହା ମଧ୍ୟରେ ମହାରାଷ୍ଟ୍ର ବିଧାନସଭାର ଅଧିବେଶନ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି। ଜୁଲାଇ ୩ ଏବଂ ୪ରେ ବିଧାନସଭାରେ ସ୍ଵତନ୍ତ୍ର ଅଧିବେଶନ ବସିବ। ପ୍ରଥମ ଦିନରେ ବିଧାନସଭାର ବାଚସ୍ପତି ନିର୍ବାଚନ କରାଯିବ। ପଜୁଣି ଜୁଲାଇ ୪ରେ ଗୃହରେ ସିନ୍ଦେ ସରକାର ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବେ। କୋର୍ଟ ପକ୍ଷରୁ ଜୁଲାଇ ୧୧ରେ ମାମଲାର ଶୁଣାଣି କରାଯିବାରୁ ସ୍ପଷ୍ଟ ହୋଇଛି ଯେ, ଏକନାଥ ସିନ୍ଦେ ସରକାର ସହଜରେ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରି ପାରିବେ।

Get real time updates directly on you device, subscribe now.