fbpx

ଭାରତ ହେଉଛି ଶ୍ରୀଲଙ୍କାର ବହୁତ ବଡ ସମର୍ଥକ, ସ୍ଥିତିକୁ ଦେଖି ଆମକୁ ଅପେକ୍ଷା କରିବାକୁ ପଡିବ: ଜୟଶଙ୍କର

ନୂଆଦିଲ୍ଲୀ: ଶ୍ରୀଲଙ୍କାର ସ୍ଥିତି ବର୍ତ୍ତମାନ ଉଦବେଗଜନକ ରହିଛି। ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ ସାରିଛନ୍ତି ପ୍ରଦର୍ଶନକାରୀ। ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଫେରାର ହୋଇ ସାରିଛନ୍ତି। ଏହି ସବୁ ମଧ୍ୟରେ ଶ୍ରୀଲଙ୍କାର ସାଂପ୍ରତିକ ସ୍ଥିତି ଉପରେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ପକ୍ଷରୁ ପ୍ରତିକ୍ରିୟା ଆସିଛି। ଶ୍ରୀଲଙ୍କାରେ ଜାରି ଆର୍ଥିକ ସଙ୍କଟକୁ ନେଇ ଜୟଶଙ୍କର କହିଛନ୍ତି, ଭାରତ ସର୍ବଦା ଶ୍ରୀଲଙ୍କା ସହିତ ଛିଡା ହୋଇ ରହିଛି। ଆମେ ଶ୍ରୀଲଙ୍କାକୁ ବହୁତ ସମର୍ଥନ କରୁଛୁ। ଆମେ ଯଥାସାଧ୍ୟ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ। ଆମେ ସର୍ବଦା ପଡୋଶୀ ଶ୍ରୀଲଙ୍କା ପାଇଁ ସହାୟତା କରି ଚାଲିବୁ ବୋଲି ଜୟଶଙ୍କର କହିଛନ୍ତି।

କେରଳରେ ସାମ୍ବାଦିକଙ୍କ ସହ ଆଲୋଚାନ ବେଳେ ଜୟଶଙ୍କର କହିଛନ୍ତି, ଶ୍ରୀଲଙ୍କାବାସୀ ଏବଂ ନେତା ଏବେ ନିଜ ସମସ୍ୟାକୁ ନେଇ କାମ କରୁଛନ୍ତି। ଏଥିପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ ଏବଂ ଦେଖିବାକୁ ହେବ ଯେ, ସେମାନେ ନିଜ ଦେଶ ପାଇଁ କଣ କରି ପାରୁଛନ୍ତି। ଶ୍ରୀଲଙ୍କାକୁ ନେଇ କୌଣସି ଶରଣାର୍ଥୀ ସଙ୍କଟ ନଥିବା ବୈଦେଶିକ ମନ୍ତ୍ରୀ କହିଛନ୍ତି।

 

ଶ୍ରୀଲଙ୍କାରେ ଶନିବାର ବ୍ୟାପକ ଆନ୍ଦୋଳନ ହୋଇଛି। ବିକ୍ଷୋଭକାରୀ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେଙ୍କ ବାସଭବନକୁ କବଜା କରିଛନ୍ତି। ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଙ୍ଘେଙ୍କ ଘରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଛି। ନୂତନ ସରକାର କ୍ଷମତାକୁ ଆସିବା ପରେ ସେ ପଦ ଛାଡି ଦେବେ ବୋଲି ଘୋଷଣା କରିଛନ୍ତି ବିକ୍ରମାସିଙ୍ଘେ। ଜୁଲାଇ ୧୩ରେ ରାଜପକ୍ଷେ ରାଷ୍ଟ୍ରପତି ପଦ ଛାଡିବେ ବୋଲି ଆନୁଷ୍ଠାନିକ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ, ୨ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶ ଉପରେ ପ୍ରାୟ ୫୦ ବିଲିୟନ ଡଲାରରୁ ଅଧିକ ଋଣଭାର ରହିଛି। ଶ୍ରୀଲଙ୍କାକୁ ୨୦୨୭ ସୁଦ୍ଧା ୨୮ ବିଲିୟନ ଡଲାର ପରିଶୋଧ କରିବାକୁ ପଡିବ। ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ) ଦେଶ ଉପରେ ନଜର ରଖିଥିବା କହିଛି।

 

Get real time updates directly on you device, subscribe now.