fbpx

LOCରେ ପାକିସ୍ତାନ ସେନା ପାଇଁ ବଙ୍କର ନିର୍ମାଣ କରୁଛି ଚୀନ, ସରକାରଙ୍କୁ ଆଲର୍ଟ କଲେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଭାରତ ବିରୋଧୀ ଗତିବିଧିରୁ ନିବୃତ୍ତ ହେଉନାହିଁ ଚୀନ। ଏହି ପଡୋଶୀ ଦେଶର ଖାଇବା ଦାନ୍ତ ଏବଂ ଦେଖାଇବା ଦାନ୍ତ ଅଲଗା ଅଲଗା ରହି ଆସିଛି। ଏବେ ଚୀନ ଏଲଓସିରେ ପାକିସ୍ତାନ ସେନା ପାଇଁ ବଙ୍କର ନିର୍ମାଣ କରୁଛି। ଏଥିସହ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ନିଜର କାର‌୍ୟ୍ୟାଳୟ ସ୍ଥାପନ କରିଛି। ଭାରତୀୟ ସୁରକ୍ଷା ଏଜେନ୍ସି ସରକାରଙ୍କୁ ଏହି ବିଷୟରେ ଅବଗତ କରାଇଛନ୍ତି। ଏହା ସହିତ ଚୀନ ମୁଜଫରାବାଦ ଏବଂ ଅଥମୁକମ ସଂଲଗ୍ନ ଅଞ୍ଚଳରେ ହେଉଥିବା କାମକୁ ନିୟନ୍ତ୍ରିତ କରୁଛି।

ଏଜେନ୍ସି କହିଛି, ଚୀନ କମ୍ପାନୀ ମେ ମାସରୁ ପାକିସ୍ତାନ ସେନା ପାଇଁ ବଙ୍କରର ନବୀକରଣ କରିବା ସହିତ ନୂତନ ବଙ୍କର ନିର୍ମାଣ କରୁଛି। ଚୀନ କମ୍ପାନୀ ପୂର୍ବରୁ ମଧ୍ୟ ପିଓକେରେ ନିର୍ମାଣ କରିଛି, ହେଲେ ପ୍ରଥମ ଥର ଏଲଓସିରେ ପାକିସ୍ତାନ ସେନା ପାଇଁ ଏହି ଧରଣର ପ୍ରକଳ୍ପ ଆରମ୍ଭ କରିଛି। ଏହି ଅଞ୍ଚଳ ପିଓକେର ନୀଲମ ଘାଟି ସଂଲଗ୍ନ କେଲ ସେକ୍ଟରରେ ପାକିସ୍ତାନୀ ସେନା ୩୨ ଡିଭିଜନର ଅନ୍ତର୍ଗତରେ ଆସୁଛି।

ବେଜିଂ ପ୍ରଥମେ ନିଜ ଯବାନ ଏବଂ ମେସିନକୁ ରାଜସ୍ଥାନରେ ବିକାନେର ସମ୍ମୁଖ ପାକିସ୍ତାନ ପାର୍ଶ୍ଵରେ ପଠାଇଥିଲା। ଏଠାରେ ଏକ ଅଗ୍ରଣୀ ଏୟାରବେସକୁ ଅପଗ୍ରେଡ୍ କରାଯାଇଥିଲା। ଏଥିସହ ୩୫୦ରୁ ଅଧିକ ପଥରରେ ନିର୍ମିତ ବଙ୍କର ଏବଂ ସୀମା ପୋଷ୍ଟର ନବୀକରଣ କରାଯାଇଥିଲା।

ଉଲ୍ଲେଖନୀୟ ଚୀନ ହେଉଛି ପାକିସ୍ତାର ଚିର ସହଚର ବନ୍ଧୁ। ଅନେକ ପ୍ରସଙ୍ଗରେ ଏହି ଆତଙ୍କୀ ଦେଶକୁ ସମର୍ଥନ କରି ଆସିଛି ଚୀନ। ଅନ୍ୟପଟେ ଭାରତ ମଧ୍ୟ ଆସନ୍ତା ବର୍ଷ ଜାମ୍ମୁ ଏବଂ କାଶ୍ମୀରରେ ଜି-୨୦ ନେତାଙ୍କ ବୈଠକ ଆୟୋଜିତ କରିବାକୁ ଯୋଜନା କରିଛି। ଭାରତର ଏହି ପଦକ୍ଷେପକୁ ଚୀନ ପାକିସ୍ତାନ ସହ ମିଶି ଆପତ୍ତି ପ୍ରକାଶ କରିଥିଲେ। ଜି-୨୦ରେ ବିଶ୍ଵର ବଡ ବଡ ଅର୍ଥବ୍ୟବସ୍ଥା ଦେଶ ରହିଛି।

ଜାମ୍ମୁ-କାଶ୍ମୀର ପ୍ରଶାସନ ଜି-୨୦ର ସଫଳ ଆୟୋଜନ ପାଇଁ ପାଞ୍ଚ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ପ୍ରଥମ ଥର ବଡ ଅନ୍ତର୍ଜାତୀୟ ବୈଠକ ହେବାକୁ ଯାଉଛି। ପାକିସ୍ତାନ ଭାରତର ଏହି ପଦକ୍ଷେପକୁ ଦୃଢ ବିରୋଧ କରିଛି।

 

Get real time updates directly on you device, subscribe now.