ବାଲେଶ୍ୱର: ବଢି ଚାଲିଛି ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ, ନୀଳଗିରି ବାଘମରା ଗାଁରେ ଆରଆଇଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି ମାଫିଆ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ସୂଚନା ଅନୂଯାୟୀ, ନୀଳଗିରି ତହସିଲ ବାଘମରା ଅଞ୍ଚଳରେ ଗତକାଲି ବେଆଇନ ଭାବରେ ବ୍ଲାଷ୍ଟିଙ୍ଗ କରି ପଥର ଚୋରି ହେଉଥିବା ନେଇ ତହସିଲଦାରଙ୍କୁ ସୂଚନା ଆସିଥିଲା । ପରେ ତହସିଲଦାର ସଜନାଗଡ଼ ଆରଆଇ କେ ସନ୍ତୋଷ କୁମାର ଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବାକୁ ପଠାଇଥିଲେ । ଆରଆଇ ଘଟଣାସ୍ଥଳ ପରିଦର୍ଶନ କରି ଫେରିବା ସମୟରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ପଥର ମାଫିଆ ।
ସେମାନେ ଆରଆଇଙ୍କ ମୋବାଇଲ ଛଡ଼ାଇନେବା ସହ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ଜୀବନ ବଞ୍ଚାଇବା ପାଇଁ ଦୌଡ଼ି ପଳାଇ ଆସିଥିଲେ ଆରଆଇ । ତହସିଲଦାର ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଥିବା ଜଣାପଡିଛି । ଆକ୍ରମଣ କରିଥିବା ବ୍ୟକ୍ତି ପୋଡାଶୂଳ ଅଞ୍ଚଳର ବିଶିକା ବୋଲି କୁହାଯାଇଥିବା ବେଳେ ପୂର୍ବରୁ ବେଆଇନ ବିସ୍ଫୋରକ ଦ୍ରବ୍ୟରେ ପଥର ବ୍ଲାଷ୍ଟିଙ୍ଗ ଭଳି ଅଭିଯୋଗ ଥାନାରେ ହୋଇଥିଲା । ପଥର ମାଫିଆ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନୀଳଗିରି ତହସିଲ ଅଧିନ ସମସ୍ତ ଆରଆଇ ମାନେ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି ।