fbpx
BJD SKY
BJD SKY

ନଦୀରୁ ଯୁବତୀଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର, ମୁଣ୍ଡ ଖୋଜୁଛି ପୋଲିସ୍‌; ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

BJD

ସଇଁନ୍ତଲା, (ଭାସ୍କର ନ୍ୟୁଜ୍‌): ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡା ପଞ୍ଚାୟତ ସ୍ଥିତ ସ୍ଥାନୀୟ କମରଲଗା ଲାଂଥ ନଦୀ କୂଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀଙ୍କ ଗଳାକାଟି ହତ୍ୟା କରାଯାଇଛି । ମୁଣ୍ଡ ବିହୀନ ଶବକୁ ପୁଲିସ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

ସୂଚନା ଯୋଗ୍ୟ ଯେ, ବୁଧବାର ଦିନ ସକାଳୁ ସକାଳୁ ସ୍ଥାନୀୟ ଲୋକେ ଗାଧେଇବା ପାଇଁ ଯାଇଥିବା ବେଳେ ନଦୀ ଭିତରେ ଏକ ଶବ ଭାସୁଥିବା ଦେଖିବାକୁ ପାଇଥିଲେ । ପରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ସଇଁନ୍ତଲା ଥାନା ଅଧିକାରୀ ଅଶ୍ୱନୀ ସାହୁ, ବଡ଼ମାଲ ଫାଣ୍ଡି ଅଧିକାରୀ ଶ୍ରୀ ମାଝୀ, ଏସ୍‌ଆଇ ସଂଗୀତା ବେଙ୍କ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଜବତ କରିଥିଲେ । ଘଟଣା ସ୍ଥାନରେ ସ୍ଥାନୀୟ ଅଗ୍ନି ବାହିନୀ ବିଭାଗ ଓ ବଲାଙ୍ଗିର ସାଇଣ୍ଟିଫିକ ଟିମ, ଟିଟିଲାଗଡ଼ ଏଡ଼ସିିଓ ସୁରେନ୍ଦ୍ର ନାଥ ଶତପଥି, ଟିଟିଲାଗଡ଼ ଥାନା ଅଧିକାରୀ ରଞ୍ଜନ ବରିହା, ମୁରିବାହାଲ ଥାନା ଅଧିକାରୀ ପହଞ୍ଚିବା ପରେ ଶବକୁ ନଦୀ ଭୀତରୁ ଉଦ୍ଧାର କରାଯାଇଥିଲା ।ମୁଣ୍ଡ ବିହୀନ ଶବକୁ ଦେଖି ଯୁବତୀଙ୍କ ବୟସ ପ୍ରାୟ ୨୦-୨୫ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଇଛି । ଦୁଇଟି ଗୋଡ଼ରେ କଳା ରଙ୍ଗର ରସି ମଧ୍ୟ ଲାଗିଛି । ଯୁବତୀ ଜଣକ କଳା ରଙ୍ଗର ପେଣ୍ଟ ଓ ସାର୍ଟ ପିନ୍ଧିଥିବା ବେଳେ ବିଳମ୍ବିତ ରାତିରେ ଗଲାକାଟି ହତ୍ୟା କରାଯାଇ ଥିବା ସନ୍ଦେହ କରୁଛି ପୋଲିସ । ମୁଣ୍ଡ ବିହୀନ ଶବକୁ ନେଇ ପୁଲିସ ପାଇଁ ମୁଣ୍ଡବଥାର କାରଣ ପାଲଟିଛି । ଯୁବତୀଙ୍କ ପରିଚୟ ମିଳି ପାରି ନାହିଁ । କିଏ ଓ କେଉଁ କାରଣରୁ ଏଭଳି ନିର୍ମମ ଭାବେ ଗଳା କାଟି ହତ୍ୟା କଲା ତାହାକୁ ନେଇ ଘଟଣା ସମ୍ପର୍କରେ ପୁଲିସ ଛାନଭିନ ଆରମ୍ଭ କରିଛି । ପ୍ରେମ ଜନିତ ସମ୍ପକରୁ ହତ୍ୟା ନାଁ ଆଉ କେଉଁ କାରଣରୁ ଏହି ହତ୍ୟାକାଣ୍ଡ କରାଯାଇଛି ତାହା କାରଣ ଅସ୍ପଷ୍ଟ ରହିଛି । ପୁଲିସ ଘଟଣା ଗୁରୁତର ସହ ନେଇ ତଦନ୍ତ କରୁଥିବା ବେଳେ ନଦୀ ଭିତରେ ଯୁବତୀଙ୍କ ମୁଣ୍ଡ କୁ ଖୋଜୁଛି ପୁଲିସ ।

Get real time updates directly on you device, subscribe now.