ଭିଜିଲାନ୍ସ ଜାଲରେ ଘଟଗାଁ ବି.ଇ.ଓ: ଲାଞ୍ଚ ନେଉଥିବା ସମୟରେ ଧରିଲା ଭିଜିଲାନ୍ସ ଟିମ୍…

କେନ୍ଦୁଝର: ଦିନକୁ ଦିନ ରାଜ୍ୟରେ ଦୁର୍ନୀତିର ମାତ୍ରା ବଢିବାର ଲାଗିଛି । ପ୍ରତ୍ୟେକ ଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଉଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଫସିଛନ୍ତି ଆଉ ଏକ ସରକାରୀ ଅଧିକାରୀ । ତେବେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଲେ ବ୍ଲକ ଶିକ୍ଷା ଅଧିକାରୀ ।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର୍ ବେହେରା ୧୫୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ତାଙ୍କୁ ରେଡ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ ଟିମ୍ । ବାଲେଶ୍ୱର ଏସ୍.ପିଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଡି.ଏସ୍.ପି ଏସ୍.କେ ସାମନ୍ତରାୟଙ୍କ ନେତୃତ୍ୱରେ ତିନିଜଣ ଇନିସ୍ପେକ୍ଟରଙ୍କ ସହିତ ଏହି ମିଳିତ ଚଢାଉ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଶ୍ରୀଯୁକ୍ତ ବେହେରା ୨୦୧୫ ବ୍ୟାଚ୍ ର ୩୩ ଜଣ ଶିକ୍ଷକଙ୍କ ଏରିଅର ପେ କ୍ଲିଅର ପାଇଁ ୯୦ ହଜାର୍ ଟଙ୍କା ଡିମାଣ୍ଡ କରିଥିଲେ । କିନ୍ତୁ ଏହି ଡିଲ୍ ୬୦ ହଜାର୍ ଟଙ୍କାରେ ଫାଇନାଲ ହୋଇଥିଲା ।

ବ୍ଲକ୍ ଶିକ୍ଷାଧିକାରୀ ଅଭୟ କୁମାର୍ ବେହେରା ଆଜି କମଳାକାନ୍ତ ବେହେରାଙ୍କ ଠାରୁ ଅଗ୍ରିମ ୧୫ ହଜାର୍ ଟଙ୍କା ଲାଞ୍ଚ ଦେଉଥିବା ସମୟରେ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ଏହା ପରେ ଆରମ୍ଭ ହୋଇଥିଲା ଚଢାଉ । ତେବେ ବର୍ତମାନ ପର୍ଯ୍ୟନ୍ତ ତିନୋଟିସ୍ଥାନରେ ଚଢାଉ ଜାରୀ ରହିଛି । ଘଟଗାଁ ବି.ଇ.ଓ କାର୍ଯ୍ୟାଳୟ ସମେତ ନିଜ ବାସଭବନ ଯାଜପୁର୍ ଟାଉନ୍ ଏବଂ ପୈତ୍ରୁକ ଗ୍ରାମ ବିଂଝାରପୁରରେ ଭିଜିଲାନ୍ସ ଟିମ୍ ଏକକାଳୀନ ଚଢାଉ ଜାରି ରଖିଛି ।