fbpx

ରାହୁଲ ଗାନ୍ଧୀ ମନା କଲେ କିଏ ହେବେ କଂଗ୍ରେସର ଅଧ୍ୟକ୍ଷ ? ଦୌଡରେ ଗେହଲଟଙ୍କୁ ପଛରେ ପକାଇଲେ ଓ୍ଵାସନିକ

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସର ସ୍ଥିତି ସୁଦୃଢ କରିବା ଏବଂ ଶାସକ ଦଳ ସହିତ ବିରୋଧୀଦଳଗୁଡିକୁ ଦୃଢ ସନ୍ଦେଶ ଦେବା ଉଦ୍ଦେଶରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଆରମ୍ଭ କରି ସାରିଛନ୍ତି। ତଥାପି ଏହି ପ୍ରଶ୍ନ ଉଠୁଛି ଯେ, ଯଦି ରାହୁଲ କଂଗ୍ରେସର ଅଧ୍ୟକ୍ଷ ହେବାକୁ ମନା କରନ୍ତି ତେବେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ? ଏଥିପାଇଁ ଦୌଡରେ ସର୍ବାଗ୍ରେ ଅଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ। ଏହା ମଧ୍ୟରେ ଗୁରୁବାର ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ବଡ ପଦକ୍ଷେପ ଉଠାଇଛନ୍ତି। ସେ ଜେପି ଅଗ୍ରଓ୍ଵାଲଙ୍କୁ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ ଦେଇ କଂଗ୍ରେସର ସାଧାରଣ ସଂପାଦକ ମୁକୁଲ ଓ୍ଵାସନିକଙ୍କୁ ମଧ୍ୟ ପ୍ରଦେଶ ଦାୟିତ୍ଵରୁ ମୁକ୍ତ କରିଛନ୍ତି। କିନ୍ତୁ ମୁକୁଲଙ୍କୁ ସାଂଗଠନିକ ପଦରେ ବଜାୟ ରଖାଯାଇଛି।

ସୋନିଆ ଗାନ୍ଧୀଙ୍କ ଏହି ପଦକ୍ଷେପ ପରେ ଅଧ୍ୟକ୍ଷ ପଦ ଦୌଡରେ ଓ୍ଵାସନିକ ବର୍ତ୍ତମାନ ଆଗକୁ ଚାଲି ଯାଇଛନ୍ତି। ସେ ଅଶୋକ ଗେହଲଟଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ତେବେ ଏହି ପ୍ରସଙ୍ଗରେ ଏଆଇସିସିର ପଦାଧିକାରୀ ନିରବତା ଅବଲମ୍ବନ କରିଛି। ପାର୍ଟିର ଜଣେ ନେତାଙ୍କ କହିବା କଥା, ଯଦି ରାହୁଲ ଗାନ୍ଧୀ ନିର୍ବାଚନ ଲଢିବାକୁ ମନା କରନ୍ତି ଏବଂ ଅଶୋକ ଗେହଲଟ ଅନିଚ୍ଛା ପ୍ରକାଶ କରନ୍ତି ତେବେ ଏମିତି ସ୍ଥିତିରେ ଏକ ଷ୍ଟାଣ୍ଡବାଇ ହିସାବରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ମୁକୁଲ ଓ୍ଵାସନିକଙ୍କୁ ମଧ୍ୟ ପ୍ରଦେଶର ପ୍ରଭାରୀ ଦାୟିତ୍ଵରୁ ମୁକ୍ତ କରାଯାଇଛି। ଅପରପକ୍ଷେ ଅନ୍ୟ ନେତାଙ୍କ କହିବା କଥା ମୁକୁଲ ଓ୍ଵାସନିକଙ୍କୁ ମଧ୍ୟ ପ୍ରଦେଶର ପ୍ରଭାରୀ ପଦରୁ ଏଥିପାଇଁ ମୁକ୍ତ କରାଗଲା କାରଣ ସେ ରାଜ୍ୟସଭା ସାଂସଦ ହେବା ପରେ ନିଜ କାମ କରିବାକୁ ଚାହୁଁଥିଲେ। ଏହା ବ୍ୟତୀତ ଏଥିରେ ସେମିତି କିଛି କାରଣ ନାହିଁ। ତେବେ ଯାହା ହେଉନା କାହିଁକି ମୁକୁଲ ଓ୍ଵାସନିକଙ୍କୁ ନେଇ ସୋନିଆ ଗାନ୍ଧୀ ଗୋଟିଚାଳନା କରିଛନ୍ତି। ମୁକୁଲ ଓ୍ଵାସନିକ କଂଗ୍ରେସର ଜଣେ ବରିଷ୍ଠତମ ନେତା। ସେ ଏଆଇସିସିର ସାଧାରଣ ସଂପାଦକ ପଦରେ ନିଜର କାମ କରି ଚାଲିବେ।

ସୂଚନାଯୋଗ୍ୟ, କେରଳରୁ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତ ଶଶି ଥରୁର ମଧ୍ୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ନେଇ ସଙ୍କେତ ଦେଇଛନ୍ତି। କେରଳ କଂଗ୍ରେସ ସଭାପତି ମଧ୍ୟ କହି ସାରିଛନ୍ତି ଯେ, ଶଶି ଥରୁର କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଯୋଗ୍ୟ। ଯଦି ଥରୁର ନାମାଙ୍କନ ଦାଖଲ କରନ୍ତି ତେବେ କଂଗ୍ରେସ ଭିତରେ ରୋମାଞ୍ଚକର ରାଜନୈତିକ ସ୍ଥିତି ଦେଖିବାକୁ ମିଳିପାରେ।

Get real time updates directly on you device, subscribe now.