fbpx

BCCI ନେଇ ପାରେ ବଡ ନିଷ୍ପତି: ଅଧିନାୟକ ପଦରୁ ବାଦ ପଡିବେ ରୋହିତ, ପାଣ୍ଡ୍ୟାଙ୍କୁ ମିଳିବ ଟି-୨୦ ଦାୟିତ୍ଵ !

ନୂଆଦିଲ୍ଲୀ: ଟି-୨୦ ବିଶ୍ଵ କପ୍ ୨୦୨୨ ଜିତିବା ସ୍ଵପ୍ନ ଧୂଳିସାତ ହେବା ପରେ ଆକ୍ସନ ମୋଡରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)। ଏହି କ୍ରମରେ ଚୟନକର୍ତ୍ତାଙ୍କ କମିଟି ଭଙ୍ଗ ହୋଇ ସାରିଛି। ଏବେ ଭାରତୀୟ କ୍ରିକେଟ୍ ଦଳରେ ଅଲଗା ଅଲଗା ଫର୍ମାଟରେ ଅଲଗା ଅଲଗା ଅଧିନାୟକ କରାଯିବା ନେଇ ବିସିସିଆଇ ଚିନ୍ତା କରୁଛି। ସେହି ଅନୁସାରେ ରୋହିତ ଶର୍ମା ଟେଷ୍ଟ ଏବଂ ଦିନିକିଆ ଦଳର ଅଧିନାୟକ ପଦରେ ରହିବେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ଦଳର ଅଧିନାୟକ କରାଯାଇପାରେ।
ଭାରତୀୟ କ୍ରିକେଟ୍ ଦଳରେ ତିନୋଟି ଫର୍ମାଟ୍ ପାଇଁ ଜଣେ ଅଧିନାୟକ ରହିବାର ଟ୍ରେଣ୍ଡ ଶୀଘ୍ର ସରିବାକୁ ଯାଉଛି। ପାଣ୍ଡା ଭାରତୀୟ ଟି-୨୦ କ୍ରିକେଟ୍ ଦଳର ଅଧିନାୟକ ହୋଇ ପାରନ୍ତି। ପିଟିଆଇ ଅନୁଯାୟୀ, ନୂତନ ଚୟନକର୍ତ୍ତା କମିଟି ଦାୟିତ୍ଵ ଗ୍ରହଣ କରିବା ପରେ ବିସିସିଆଇ ଭିନ୍ନ ଭିନ୍ନ ଫର୍ମାଟ୍ ପାଇଁ ଭିନ୍ନ ଅଧିନାୟକ ନିଯୁକ୍ତ କରିବାକୁ ଯାଉଛି। ଶୁକ୍ରବାର ବୋର୍ଡ ଚୟନକର୍ତ୍ତାଙ୍କ କମିଟି ଭଙ୍ଗ କରିଛି। ପାଞ୍ଚ ଜଣିଆ ଚୟନ କମିଟି ପାଇଁ ଆବେଦନ ମଗାଯାଇଛି।

ଚୟନ କମିଟି ଦାୟିତ୍ଵ ନେବା ପରେ ବିସିସିଆଇ ସହ ବିଚାର ବିମର୍ଶ କରି ପ୍ରତ୍ୟେକ ଫର୍ମାଟ୍ ପାଇଁ ଅଦିନାୟକ ନିଯୁକ୍ତ କରିବେ ବୋଲି ପିଟିଆଇ ସୂତ୍ରରୁ ପ୍ରକାଶ। ତେବେ ୨୦୨୩ରେ ଦିନିକିଆ ବିଶ୍ଵ କପ୍ ହେବାକୁ ଥିବାରୁ ରୋହିତ ଶର୍ମା ଦିନିକିଆ ଦଳର ଅଧିନାୟକ ପଦ ବଜାୟ ରଖିବେ। ପୁଣି ୨୦୨୪ ଟି-୨୦ ବିଶ୍ଵ କପକୁ ଦୁଇ ବର୍ଷ ବାକି ଥିବାରୁ ଏବେଠୁ ଟି-୨୦ ଦଳରେ ଜଣେ ପୂର୍ଣ୍ଣକାଳୀନ ଅଧିନାୟକ ରଖିବାକୁ ବିସିସିଆଇ ବିଚାର କରୁଛି। ଏଥିପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ଯୁବ ଖେଳାଳିଙ୍କୁ ଏହି ଦାୟିତ୍ଵ ଦେବାକୁ ବୋର୍ଡ ଆପାତତଃ ନିଷ୍ପତ୍ତି ନେଇ ସାରିଛି।

ଅଧିନାୟକତ୍ଵ ନେଇ ହାର୍ଦ୍ଦିକ ପାଣ୍ଡ୍ୟା ନିଜର କ୍ଷମତା ଏବଂ ସାମର୍ଥ୍ୟ ପ୍ରମାଣିତ କରି ସାରିଛନ୍ତି। ଏହି ତାରକା ଅଲରାଉଣ୍ଡର ଗତ ଆଇପିଏଲରେ ଗୁଜରାଟ୍ ଟାଇଟନ୍ସର ନେତୃତ୍ଵ ନେଇ ଚାମ୍ପିଅନ କରାଇ ସାରିଛନ୍ତି। ପୁଣି ଅନ୍ତର୍ଜାତୀୟ ଟି-୨୦ରେ ଆୟରଲାଣ୍ଡ ବିପକ୍ଷରେ ଭାରତୀୟ କ୍ରିକେଟ୍ ଦଳର ସଫଳ ନେତୃତ୍ଵ କରି ସାରିଛନ୍ତି। ବର୍ତ୍ତମାନ ପାଣ୍ଡ୍ୟା ଟି-୨୦ ଦଳର ଅଧିନାୟକ ଦୌଡରେ ଋଷଭ ପନ୍ତଙ୍କୁ ପଛରେ ପକାଇ ସାରିଛନ୍ତି। ଚୟନକର୍ତ୍ତା ଏ ନେଇ ହାର୍ଦ୍ଦିକଙ୍କ ସହିତ ଆଲୋଚନା କରିବାକୁ ଯାଉଛନ୍ତି।

ବର୍ତ୍ତମାନ କେଏଲ ରାହୁଲ ଭାରତୀୟ କ୍ରିକେଟ୍ ଦଳର ତିନୋଟି ଫର୍ମାଟରେ ଉପ ଅଧିନାୟକ ଅଛନ୍ତି। ସେ ତିନି ଫର୍ମାଟର ଖେଳାଳି। ହେଲେ ଆଗାମୀ ଦିନିକିଆ ବିଶ୍ଵ କପକୁ ଦୃଷ୍ଟିରେ ରଖି ସେ କିଛି ଟି-୨୦ ମ୍ୟାଚ୍ ଖେଳି ନପାରନ୍ତି। ତେଣୁ ନୂତନ ଅଧିନାୟକ ବ୍ୟତୀତ ଚୟନକର୍ତ୍ତା ଟି-୨୦ ଦଳରେ ନୂତନ ଏବଂ ଯୁବ ଚେହେରାଙ୍କୁ ସୁଯୋଗ ଦେଇ ୨୦୨୪ ଟି-୨୦ ବିଶ୍ଵ କପ୍ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ ଚାହୁଁଛି।

ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳର ନେତୃତ୍ଵ ନେଉଛନ୍ତି। ଶିଖର ଧାଓ୍ଵନଙ୍କୁ ଉକ୍ତ ଗସ୍ତରେ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି।

Get real time updates directly on you device, subscribe now.