fbpx

୧୭ଟି ପ୍ରସ୍ତାବରେ ମୋହର: ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ମଞ୍ଜୁରୀ ଦେଲା ଓଡ଼ିଶା କ୍ୟାବିନେଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୁଣା ଗାଡ଼ି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ୧୫ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକୁ ସ୍କ୍ରାପିଂ କରାଯିବ । ଯାନବାହନ ଜନିତ ବାୟୁ ପ୍ରଦୂଷଣ ହ୍ରାସ କରିବାରେ ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ । ସ୍କ୍ରାପିଂ କରିଥିବା ବ୍ୟକ୍ତିଙ୍କୁ ନୂଆ ଗାଡ଼ି କିଣିବା ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରାଯିବ ।ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଏନେଇ ନିୟମ ଆଣିଛନ୍ତି ।

ତେବେ ଗତକାଲି କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିସହ ୧୨ଟି ବିଭାଗର ୧୭ଟି ପ୍ରସ୍ତାବ ପାରିତ ହୋଇଥିଲା । ଗତକାଲି ପାରିତ ହୋଇଥିବା ୧୭ଟି ପ୍ରସ୍ତାବ ଉପରେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଗୃହରେ ଅବଗତ କରାଇଛନ୍ତି । ଗତକାଲି ଅନେକ ଗୁଡ଼ିଏ ପଲିସିକୁ ଅନୁମୋଦନ କରାଯାଇଛି ।  ଓଡ଼ିଆ ଚଳଚ୍ଚିତ୍ର ଦମନକୁ ଟିକସ ମୁକ୍ତି କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି । ଏହା ସହ ସ୍କ୍ରାପିଂ ପଲିସିକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍ । ପୂର୍ବରୁ କେନ୍ଦ୍ର ସରକାର ଏହି ନିୟମ ଲାଗୁ କରିଥିବାରୁ ତାହାକୁ ଆଧାର କରି ରାଜ୍ୟ ସରକାର ମଧ୍ୟ ଏହି ପଲିସି ଆଣିଛନ୍ତି ।

ଓଡ଼ିଶା ପୋଷାକ ଓ ବୈଷୟିକ ବୟନଶିଳ୍ପ ନୀତି ୨୦୨୨କୁ ଅନୁମୋଦନ ମିଳିଛି । ଏହାଦ୍ୱାରା ଓଡ଼ିଶାରେ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ତାସହ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠାରେ ସହାୟକ ହେବ । ଏହି ନୀତିରେ ପୁଞ୍ଜି ବିନିଯୋଗ ସହାୟତା, ନିଯୁକ୍ତି ସହାୟତା ତଥା ବଜାର ବିକାଶ ସହାୟତା ନିମନ୍ତେ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି ।

ଓଡିଶାରେ ସଂଯୋଜନ କ୍ଷେତ୍ରର ବିକାଶ ପାଇଁ ଓଡିଶା ଲଜିଷ୍ଟିକ ପଲିସି-୨୦୨୨କୁ ଅନୁମୋଦନ ମିଳିଛି । ଏହା ବାଣିଜ୍ୟ ଓ ବାଣିଜ୍ୟ ପାଇଁ ଉପଯୁକ୍ତ ଗନ୍ତବ୍ୟସ୍ଥଳ ଭାବରେ ରାଜ୍ୟର ସ୍ଥିତିକୁ ସୁଦୃଢ କରିବ । ଯୋଗାଣ ଶୃଙ୍ଖଳକୁ ମଧ୍ୟ ମଜବୁତ କରିବ । ଏଥିରେ ସବୁଜ ଇନ୍ଧନର ବ୍ୟବହାରକୁ ମଧ୍ୟ ପ୍ରତ୍ସୋହନ କରାଯାଇଛି ।

ଓଡ଼ିଶା ରପ୍ତାନୀ ପଲିସି-୨୦୨୨କୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ୍‌ । ରପ୍ତାନୀ ପ୍ରତିଯୋଗିତାରେ ଉନ୍ନତି ଆଣିବା ସହ ଓଡିଶାକୁ ଭାରତର ୫ଟି ଶ୍ରେଷ୍ଠ ରାଜ୍ୟରେ ସାମିଲ କରିବା ଲକ୍ଷ୍ୟ ରହିଛି । ୨୦୨୬-୨୭ ସୁଦ୍ଧା ୩.୫ ଲକ୍ଷ କୋଟି ଟଙ୍କାର ରପ୍ତାନୀ ଲକ୍ଷ୍ୟ ରଖାଯାଇଛି ।

ଅମଳ ପରବର୍ତ୍ତୀ ପରିଚାଳନା ଓ ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ବିପଣନରେ ସହାୟତା ଯୋଜନା ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌ । ଅମଳ ପରବର୍ତ୍ତୀ କ୍ଷତି ଓ ଉଦ୍ୟାନ କୃଷି ଉତ୍ପାଦର ବ୍ରାଣ୍ଡିଂ, ପ୍ୟାକେଜିଂ ଓ ମାର୍କେଟିଂ କ୍ଷେତ୍ରକୁ ସହାୟତା ଯୋଗାଇବା ସହ କୃଷକଙ୍କୁ ଆର୍ଥିକ ସହାୟତା ଦିଆଯିବ । ଏହା ଗ୍ରାମାଞ୍ଚଳରେ ଚାଷୀଙ୍କ ରୋଜଗାର ବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଉଦ୍ୟାନ କୃଷିର ଦ୍ରୁତ ଆଧୁନିକୀକରଣରେ ସହାୟକ ହେବ ।

Get real time updates directly on you device, subscribe now.