fbpx

ଫେଲ୍ ମାରିଲେ ରାଜ୍ୟ ବିଜେପିର ଟାଣୁଆ ନେତା: ପଦ୍ମପୁରରେ ଧର୍ମେନ୍ଦ୍ର, ଦିଲ୍ଲୀରେ ବୈଜୟନ୍ତ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ବିଜେଡିର କ୍ରେଜ୍‌, ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଷ୍ଟ୍ରାଟେଜି ଆଗରେ ଫେଲ୍ ମାରିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପଦ୍ମପୁର ବିଶାଳ ବିଜୟ ସହ ଧାମନଗର ଉପନିର୍ବାଚନ ପରାଜୟ ପରେ ପୁଣି ଥରେ ବିଜୟ ଧାରାକୁ ଫେରିଛି ବିଜେଡି। ୨୦୧୯ ବିଧାନସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ପଦ୍ମପୁରରେ ମୁହାଁମୁହିଁ ହୋଇଥିଲେ ବିଜେଡି ଆଉ ବିଜେପିର ବରିଷ୍ଠ ନେତା। କହିବାକୁ ଗଲେ ଦୁଇ ଦଳ ମଧ୍ୟରେ ପଦ୍ମପୁରରେ ହୋଇଥିଲା ଡାଇରେକ୍ଟ ଫାଇଟ। ବିଜେପି ପାଇଁ ୫ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଦଳର ଅନେକ ଛାମୁଆ ନେତା ପଦ୍ମପୁରରେ ଡେରା ପକାଇ ପ୍ରଚାର କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ, ବିଜେଡି ପ୍ରାର୍ଥିଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇବାକୁ ବାଧ୍ୟ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବର୍ତ୍ତମାନ ନିର୍ବାଚନ ଫଳାଫଳରୁ ଜଣାପଡୁଛି ଯେ, ନବୀନଙ୍କ କ୍ରେଜ୍ ଆଗରେ ଫେଲ୍ ମାରିଛନ୍ତି ଧର୍ମେନ୍ଦ୍ରଙ୍କ ନେତୃତ୍ୱାଧିନ ବିଜେପି ଟିମ୍। ତେବେ ପଦ୍ମପୁର ନିର୍ବାଚନ ସମୟରେ ରାଜ୍ୟର ଦୁଇ ପ୍ରମୁଖ ଦଳ ମଧ୍ୟରେ ଲଢେଇ ଏପରି ହୋଇଥିଲା ଯେ, ଦୁଇ ଦଳର ବରିଷ୍ଠ ନେତା ପରସ୍ପର ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରିବାକୁ ପଛାଇ ନଥିଲେ। କିନ୍ତୁ ବିଜେଡି ପକ୍ଷରୁ ମାଟିର ଝିଅ ବର୍ଷାଙ୍କ ପାଇଁ ଭୋଟ୍ ମାଗୁଥିବା ବେଳେ ବିଜେପି ଏହାକୁ ନିର୍ବାଚନୀ ବିଷୟ କରି ବର୍ଷାଙ୍କୁ ବ୍ୟକ୍ତିଗତ ଭାବେ ଟାର୍ଗେଟ୍ କରିଥିଲା। ଦଳର ଅନେକ ବରିଷ୍ଠ ନେତା ବର୍ଷାଙ୍କୁ ସତ୍ୟବାଦୀର ବୋହୁ କହି ଆକ୍ଷେପ କରିବା ସହିତ ମାଟିର ଚଷା ପୁଅ ପ୍ରଦୀପଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦ୍ମପୁରରେ ମାରାଥନ ପ୍ରଚାର କରିଥିଲେ । ଏହି ସମୟରେ ସେ ରାଜ୍ୟରେ ଦେବାଳିଆ, ଅପାରଗ ସରକାର, ଚାଷିଙ୍କ ପ୍ରତି ଅନ୍ୟାୟ, ଦାଦନ ଆଦି ବିଷୟକୁ ମୁଦା କରି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ । ତେବେ ଏହାର ଜବାବରେ ବିଜେଡିର ବରିଷ୍ଠ ନେତାମାନେ ଜବାବ ରଖିଥିଲେ ।

ଅନ୍ୟପଟେ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାରକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟ କିଛି ଅଲଗା ଥିଲା। ଚିରାଚରିତ ଭାବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସରକାରଙ୍କର ବିଭିନ୍ନ କାର୍ଯ୍ୟ ବିଷୟରେ ଲୋକଙ୍କୁ କହିବା ସହିତ ମହିଳା ସଶକ୍ତକରଣ ପାଇଁ ବର୍ଷାଙ୍କୁ ଭୋଟ୍ ଦେବାକୁ ଅପିଲ୍ କରିଥିଲେ। ଯାହା ପଦ୍ମପୁର ଲୋକମାନଙ୍କ ଆସ୍ଥାଭାଜନ ହୋଇଥିବା ଦେଖିବାକୁ ମିଳିଛି।

ସେହିପରି ଦିଲ୍ଲୀ ନଗର ନିଗମ(ଏମସିଡି) ନିର୍ବାଚନରେ ଅରବିନ୍ଦ କେଜ୍ରିବାଲଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ବିଜେପିଠାରୁ ତାର ଗଡ଼କୁ ଛଡାଇ ଆଣିଛି । ଦିର୍ଘ ୧୫ ବର୍ଷ ପରେ ବିଜେପି ଏମସିଡି ନିର୍ବାଚନରେ ପରାଜୟର ସାମ୍ନା କରିଛି । ରାଜଧାନୀ ଦିଲ୍ଲୀରେ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତି ସତ୍ୱେ ଅରବିନ୍ଦ କେଜ୍ରିବାଲ ବିଜେପିକୁ ପରାଜୟର ସ୍ୱାଦ ଚଖାଇ ଦେଇଥିଲେ।

ତେବେ ବିଜେପି ଏମସିଡି ନିର୍ବାଚନ ହାରିବା ପରେ ଓଡ଼ିଶାର ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ନାମ ଚର୍ଚ୍ଚାକୁ ଆସିଛି । କାରଣ ବୈଜୟନ୍ତଙ୍କୁ ୨୦୨୦ରେ ଦଳ ଭରଷା କରି ଦିଲ୍ଲୀର ପ୍ରଭାରୀ ଦାୟିତ୍ୱ ଦେଇଥିଲା । ଏବେ ଦଳ ଦିଲ୍ଲୀରେ ଏହାର ଗଡ଼ ଏମସିଡିକୁ ହରାଇବା ପରେ ବୈଜୟନ୍ତଙ୍କ ଷ୍ଟ୍ରାଟେଜି ଫେଲ୍ ମାରିଛି ବୋଲି କୁହାଯାଉଛି ।

 

Get real time updates directly on you device, subscribe now.