ଚା’ ତିଆରି କରିବାକୁ ମନା କରିବାରୁ ସ୍ତ୍ରୀର ମୁଣ୍ଡକୁ ଛେଚି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ: ଚା’ତିଆରି ନକରିବାରୁ ନିଜ ସ୍ତ୍ରୀଙ୍କୁ ଜଣେ ୪୧ ବର୍ଷୀୟ ବ୍ୟକ୍ତି ହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶର ଉଜୈନ ଜିଲ୍ଲାରୁ ସାମ୍ନାକୁ ଆସିଛି । ସୋମବାର ମଧ୍ୟପ୍ରଦେଶ ପୋଲିସ ଏ ସମ୍ପର୍କରେ ସୂଚନା ଦେଇଛି । ଜଣେ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ଝାରଦା ଥାନା ଅଞ୍ଚଳର ଘାଟିଆ ଗାଁର ଅଟେ । ଯେଉଁଠାରେ ଶନିବାର ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ ।

ଝାରଦା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ବିରେନ୍ଦ୍ର ସିଂ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କ ୪୦ ବର୍ଷିୟା ପତ୍ନୀଙ୍କୁ ଏକ ରୋଲିଂ ବୋର୍ଡ ସାହାଯ୍ୟରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କାରଣ ସ୍ତ୍ରୀ ତାଙ୍କ ପାଇଁ ଚା’ପ୍ରସ୍ତୁତ କରିବାକୁ ମନା କରିଦେଇଥିଲେ । ଆକ୍ରମଣ ପରେ ସ୍ତ୍ରୀ ଘଟଣାସ୍ଥଳରେ ହିଁ ପଡ଼ିଯାଇ ଚେତାଶୂନ୍ୟ ହୋଇ ଯାଇଥିଲେ । ସ୍ତ୍ରୀଙ୍କ ଏପରିି ଅବସ୍ଥା ଦେଖି ସ୍ୱାମୀ ଜଣକ ଭୟଭୀତ ହୋଇ ଶୀଘ୍ର ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ସେ ଡାକ୍ତରଙ୍କୁ ପତ୍ନୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏଭଳି ଘଟିଛି ବୋଲି କହିଥିଲେ । କିନ୍ତୁ ଡାକ୍ତରମାନେ ମହିଳାଙ୍କ ଶରୀରରେ ବିଦ୍ୟୁତ ଆଘାତର କୌଣସି ଚିହ୍ନ ପାଇ ନଥିଲେ, ପରେ ମହିଳାଙ୍କ ମୃତ୍ୟୁ ଘଟିଥିଲା ।

ପୋଲିସ ସୂଚନାନୁସାରେ, ସ୍ତ୍ରୀର ମୃତ୍ୟୁ ପରେ ଅଭିଯୁକ୍ତ ଡାକ୍ତରଖାନାରୁ ପଳାଇ ଯାଇଥିଲା । କିନ୍ତୁ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ପୋଲିସ ଅଧିକାରୀ କହିଛନ୍ତି ଯେ ପ୍ରଥମେ ଅଭିଯୁକ୍ତ ସ୍ୱାମୀଜଣକ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଯେତେବେଳେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଥିଲା, ସେଥିରେ ଆଉ କିଛି ବାହାରିଥିଲା । ପୋଲିସ ତାକୁ ଗିରଫ କରି ପଚରାଉଚରା କରିଥିଲା । ଏହି ସମୟରେ ବ୍ୟକ୍ତି ନିଜର ଅପରାଧ ସ୍ୱୀକାର କରିଥିଲା ।