fbpx

ଆଜି କୋଭିଡ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ସାରା ଦେଶରେ ହେବ ମକଡ୍ରିଲ୍

ଭୁବନେଶ୍ୱର: ଚୀନ୍ ସମେତ ଜାପାନ ଓ ଅନ୍ୟ କେତେକ ରାଷ୍ଟ୍ରରେ ମହାମାରୀ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଏହାର ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇ ଯାଇଛି । ମଙ୍ଗଳବାର ଅପରାହ୍ନ ୪.୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ଅନୁଷ୍ଠିତ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୁଖ ଉପସ୍ଥିତ ରହିବେ । ଆଗାମୀ ଦିନ ପାଇଁ କୋଭିଡ଼ ମୁକାବିଲା ରଣନୀତି ନେଇ ବୈଠକରେ ଆଲୋଚନା କରାଯିବ ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ କୋଭିଡ଼ ମୁକାବିଲା ବ୍ୟବସ୍ଥାର ତଦାରଖ ନିମନ୍ତେ ମଙ୍ଗଳବାର ସାରା ଦେଶରେ ମକ୍ଡ୍ରିଲ କରାଯିବ । ଜିଲ୍ଲାସ୍ତରରେ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ ବେଡ୍, କୋଭିଡ କିଟ୍, ଅକ୍ସିଜେନ୍ ଆଇସିୟୁ, ଭେଣ୍ଟିଲେଟର ଓ ପିପିଇ କିଟ୍ ସହ ମ୍ୟାନପାୱାର ନେଇ ମକ୍ଡ୍ରିଲ କରାଯିବ । ଏହି ତଥ୍ୟକୁ କେନ୍ଦ୍ର ସରକାରଙ୍କ କୋଭିଡ଼ ପୋର୍ଟାଲରେ ଅପଲୋଡ କରିବ ଜିଲ୍ଲା ପ୍ରଶାସନ ।

ଏବେ ସରକାରୀ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ କୋଭିଡ଼ ପାଇଁ ଆଇସୋଲେସନ ବେଡ୍ ରଖାଯାଇଛି । ଯଦି ସଂକ୍ରମିତଙ୍କ ସଂଖ୍ୟା ବଢେ ତେବେ ପର୍ଯ୍ୟାୟକ୍ରମେ ବେଡ୍ ସଂଖ୍ୟାରେ ବୃଦ୍ଧି ଘଟାଯିବ । ଯଦି ଅଧିକ ବି ମ୍ୟାନ ପାୱାର ଆବଶ୍ୟକ ପଡ଼େ ତାହା ମଧ୍ୟ ପ୍ରସ୍ତୁତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସବୁ ସରକାରୀ ହସ୍ପିଟାଲରେ ଆଇସୋଲେସନ ବେଡ୍ କାର୍ଯ୍ୟକ୍ଷମ କରାଯାଇଛି । ଅକ୍ସିଜେନ୍ ବ୍ୟବସ୍ଥା ଥିବା ବେଡ୍ ଅଧିକ ରଖାଯାଇଛି ।

ଅନ୍ୟପକ୍ଷରେ କୋଭିଡ଼ ଗାଇଡଲାଇନ୍ ଅନୁସାରେ ଦଶମ ଓ ଦ୍ୱାଦଶ ପରୀକ୍ଷା କରାଯିବ ବୋଲି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଅନ୍ୟ ଦେଶରେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା କରାଯିବ । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପିଲାମାନଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯିବ ସହ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି ବୋଲି ସେ କହିଥିଲେ ।

Get real time updates directly on you device, subscribe now.