fbpx

ବନ୍ଧ୍ୟାକରଣ ଛାଡ଼ପତ୍ରର ଆଧାର ନୁହେଁ, ଏଥିପାଇଁ ପତ୍ନୀଙ୍କୁ ଛାଡ଼ିବା ମାନସିକ କ୍ରୁରତା: ହାଇକୋର୍ଟ

ନୂଆଦିଲ୍ଲୀ: ଛାଡ଼ପତ୍ର ମାମଲାରେ କଲିକତା ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ମହିଳାଙ୍କ ବନ୍ଧ୍ୟାତ୍ୱ ଛାଡପତ୍ରର ଆଧାର ହୋଇପାରିବ ନାହିଁ । ଏହା ସହ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବନ୍ଧ୍ୟା କାରଣରୁ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ପତ୍ନୀଙ୍କୁ ପରିତ୍ୟାଗ କରିବା “ମାନସିକ କ୍ରୁରତା” ହେବ । ସ୍ୱାମୀଙ୍କ ଦ୍ୱାରା ଦାଖଲ ହୋଇଥିବା ଛାଡପତ୍ର ଆବେଦନକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶୁଣାଣି ସମୟରେ ଜଷ୍ଟିସ ଶମ୍ପା ଦତ୍ତଙ୍କ କୋର୍ଟ କହିଛନ୍ତି ଯେ, ପିତାମାତା ହେବାର ଅନେକ ବିକଳ୍ପ ରହିଛି । ଏହି ପରିସ୍ଥିତିରେ ଜଣେ ଜୀବନ ସାଥୀକୁ ବୁଝିବାକୁ ପଡିବ, କାରଣ କେବଳ ଜଣେ ସାଥୀ ଅନ୍ୟ ସାଥୀର ମାନସିକ, ଶାରୀରିକ ଶକ୍ତି ଫେରାଇବାରେ ସାହାଯ୍ୟ କରିପାରିବ । ଏହିପରି ଭାବରେ ମଝି ରାସ୍ତାରେ ବନ୍ଧ୍ୟାତ୍ୱ ଛାଡପତ୍ର ପାଇଁ ଏକ ଆଧାର ହୋଇପାରିବ ନାହିଁ ।

ତେବେ ୬ ବର୍ଷ ପୂର୍ବେ ଅର୍ଥାତ୍ ୨୦୧୭ ରେ ଜଣେ ସ୍ୱାମୀ ତାଙ୍କ ପତ୍ନୀଙ୍କଠାରୁ ଛାଡ଼ପତ୍ର ମାଗିଥିଲେ । ଯାହାର ସମସ୍ୟା ଥିଲା ଯେ, ଏବେ ପତ୍ନୀ କେବେ ମା ହୋଇପାରିବେ ନାହିଁ । ଏହି ମାମଲାର ଏବେ ଶୁଣାଣି କରିଛନ୍ତି ହାଇକୋର୍ଟ ।

ତେବେ ସ୍ୱାମୀ କୋର୍ଟରେ ଛାଡପତ୍ର ଆବେଦନ କରିବା ପରେ ପତ୍ନୀ ମଧ୍ୟ ବେଲିଆଘାଟା ଥାନାରେ ଅଭିଯୋଗ କରିଥିଲେ । ମାନସିକ, ଶାରୀରିକ ନିର୍ଯ୍ୟାତନା ଏବଂ କ୍ରୁରତାର ଧାରା ଅଧିନରେ ପତ୍ନୀ ସ୍ୱାମୀଙ୍କ ବିରୋଧରେ ମାମଲା ଦାୟର କରିଥିଲେ । ସେବେଠାରୁ ଏହି ମାମଲା କୋର୍ଟରେ ବିଚାରାଧୀନ ରହିଥିଲା । ପତ୍ନୀଙ୍କ ବନ୍ଧ୍ୟାକରଣ ହେତୁ ସ୍ୱାମୀ ତାଙ୍କୁ ଛାଡପତ୍ର ଦେବାକୁ ଚାହୁଁଥିଲେ । କୋର୍ଟରେ ପତ୍ନୀଙ୍କ ତରଫରୁ କୁହାଯାଇଥିଲା ଯେ, ମାସିକ ଋତୁସ୍ରାବର ଅକାଳ ବନ୍ଦ ହେତୁ ସେ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଛନ୍ତି । କିନ୍ତୁ ସବୁକିଛି ଜାଣି ସ୍ୱାମୀ ଛାଡ଼ପତ୍ର ଚାହୁଁଛନ୍ତି ।

ଅନ୍ୟପଟେ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଜଣେ ମହିଳାଙ୍କ ବନ୍ଧ୍ୟାକରଣ ଛାଡପତ୍ରର ଆଧାର ହୋଇପାରିବ ନାହିଁ । ଏଥି ସହିତ କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ବନ୍ଧ୍ୟା କାରଣରୁ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ପତ୍ନୀଙ୍କୁ ପରିତ୍ୟାଗ କରିବା “ମାନସିକ କ୍ରୁରତା” ହେବ । ଏହା ସହିତ ସ୍ୱାମୀଙ୍କ ଛାଡପତ୍ର ମାମଲା ଖାରଜ ହୋଇଯାଇଛି । ସୂଚନା ମୁତାବକ, ସ୍ୱାମୀ-ସ୍ତ୍ରୀଙ୍କ ବାହାଘର ୯ ବର୍ଷ ପୂର୍ବେ ହୋଇଥିଲା । ମହିଳା ବୃତ୍ତି ଅନୁଯାୟୀ ଜଣେ ସ୍କୁଲ ଶିକ୍ଷୟିତ୍ରୀ । ଏହି ମହିଳା ଏବେ ବେଙ୍ଗାଲୁରୁର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ ହେଲଥ୍ ଆଣ୍ଡ ନ୍ୟୁରୋସାଇନ୍ସରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.