fbpx

ମୋରବୀ ପୋଲ ଦୁର୍ଘଟଣା: ଓରେଭା ପ୍ରମୋଟର ଜୟସୁଖ ପଟେଲ ମୁଖ୍ୟ ଅଭିଯୁକ୍ତ, ଚାର୍ଜସିଟ ଦାଖଲ

ନୂଆଦିଲ୍ଲୀ: ଗୁଜରାଟ ମୋରବୀରେ ଝୁଲା ପୋଲ ଦୁର୍ଘଟଣାରେ ୧୩୫ ଲୋକଙ୍କ ମୃତ୍ୟୁ ମାମଲାରେ ଚାର୍ଜସିଟ ଦାଖଲ ହୋଇଛି। ଏହି ଘଟଣାରେ ଓରେଭା ଗ୍ରୁପ୍‌ର ପ୍ରମୋଟର ତଥା ଅଜନ୍ତା ଉତ୍ପାଦନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଜୟସୁଖ ପଟେଲଙ୍କୁ ଏକ ମୁଖ୍ୟ ଅଭିଯୁକ୍ତ କରାଯାଇଛି। ତେବେ ଏହି ଦୁର୍ଘଟଣା ପରେ ଜୟସୁଖ ନିଖୋଜ ଅଛନ୍ତି ଏବଂ ତାଙ୍କୁ ଗିରଫ କରିବା ପାଇଁ ଗତ ସପ୍ତାହରେ ୱାରେଣ୍ଟ ଜାରି କରାଯାଇଛି। ଗିରଫ ଭୟରେ ୧୬ ଜାନୁଆରୀରେ ଜୟସୁଖ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ।

୧,୨୬୨ ଫର୍ଦ୍ଦର ଚାର୍ଜସିଟ୍‌ରେ ଜୟସୁଖ ପଟେଲଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଛି। ଘଣ୍ଟା ପ୍ରସ୍ତୁତକାରୀ କମ୍ପାନୀ ଭାବେ ‘ଅଜନ୍ତା’ ଦେଶରେ ଏକ ଜଣାଶୁଣା ନାଁ। ତେବେ ଗୁଜରାଟର ମୋରାବୀରେ ଥିବା ୧୦୦ ବର୍ଷର ପୁରୁଣା ପୋଲର ପୁନଃରୁଦ୍ଧାର କରିବା ପାଇଁ କମ୍ପାନୀ ଟେଣ୍ଡର ପାଇଥିଲା । ଏହାପରେ କମ୍ପାନୀ ପୋଲର ନବିକରଣ କରି ଏହାର ପରିଚାଳନା ଦାୟିତ୍ୱରେ ମଧ୍ୟ ଥିଲା । ଏହି ସମୟରେ ୩୦ ଅକ୍ଟୋବରରେ ପୋଲଟି ନଦୀ ମଧ୍ୟକୁଖସି ପଡ଼ିଥିଲା ।

ସରକାରଙ୍କ ଦ୍ୱାରା ନିଯୁକ୍ତ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଓରେଭା ଗ୍ରୁପ୍ ଦ୍ୱାରା ମରାମତି, ରକ୍ଷଣାବେକ୍ଷଣ ଏବଂ କାର୍ଯ୍ୟରେ ଅନେକ ତ୍ରୁଟି ବାହାର କରିଛନ୍ତି, ଯେଉଁଥିରେ ଏକ ସମୟରେ ବ୍ରିଜ୍ ଉପରେ ଲୋକଙ୍କ ସଂଖ୍ୟାକୁ ସୀମିତ ନକରିବା। ଏହା ବ୍ୟତୀତ ଟିକେଟ୍ ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ, ଯେଉଁଥିପାଇଁ ପୋଲକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା ଉପରେ କୌଣସି ପ୍ରତିବନ୍ଧକ ନଥିଲା। ଏବେ ସୁଦ୍ଧା ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ସହ-ଠିକାଦାର, ଟିକେଟ୍ କ୍ଲର୍କ ଭାବେ କାର୍ଯ୍ୟ କରୁଥିବା ଲୋକେ ଏବଂ ସୁରକ୍ଷାକର୍ମୀମାନ ମଧ୍ୟ ସାମିଲ ଅଛନ୍ତି।

Get real time updates directly on you device, subscribe now.