fbpx

କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଖୋଲିବ ସନ୍ଥକବି ଭୀମଭୋଇ ଚେୟାର: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥ କବି ଭୀମଭୋଇ ଚେୟାର ପ୍ରତିଷ୍ଠା ହେବ । ପୂର୍ବରୁ ଦିଲ୍ଲୀ ଓ ଛତିଶଗଡ଼ର ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥକବିଙ୍କ ଚେୟାର ଖୋଲିଥିଲା । ନିକଟରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ‘ସନ୍ଥ ସମାବେଶ’ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସୂଚନା ଦେଇଛନ୍ତି ।

ମାଘ ସପ୍ତମୀ ମେଳା ଅବସରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ଭୀମଭୋଇ ମଣ୍ଡପ ଓ ପାଠାଗାରର ଉଦଘାଟନ କରିଛନ୍ତି । ମହିମା ଧର୍ମ ଓ ବିଚାର ଉପରେ ଅଧିକ ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ଓ ଛତିଶଗଡ଼ରେ ସନ୍ଥକବିଙ୍କ ଚେୟାର ପ୍ରତିଷ୍ଠା କରାଯାଇଛି । ଏହି ସଂସ୍ଥାମାନଙ୍କରେ ଏବେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ମହିମା ଧର୍ମ ଉପରେ ଗବେଷଣା କରିବାର ଆବଶ୍ୟକତା ରହିଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଅନୁମତି ଆଧାରରେ ରାଜ୍ୟରେ ଏକ ଚେୟାର ପ୍ରତିଷ୍ଠା କରାଯିବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ମହିମା ଧର୍ମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ବିଜେପି ସରକାରଙ୍କ ଏକ ବଡ଼ ଯୋଜନା ରହିଛି । ମହିମା ଗୋସାଇଁଙ୍କ ଦର୍ଶନ ଆଜିର ସମାଜ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ସେଥିପାଇଁ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ କେନ୍ଦ୍ର ସରକାର ଭୀମଭୋଇ ଚେୟାର ସ୍ଥାପନ କରିଛନ୍ତି । କୋରାପୁଟରେ ସନ୍ଥକବିଙ୍କ ଚେୟାର ପ୍ରତିଷ୍ଠା ପାଇଁ ଆସନ୍ତା ମାସରେ ୟୁଜିସି ପକ୍ଷରୁ ଅନୁମୋଦନ ମିଳିବ । ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ଚେୟାର ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶିକ୍ଷାମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.