ସରକାରୀ କର୍ମଚାରୀ, ଅଧିକାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା: ହସ୍ପିଟାଲର ମୁଖ୍ୟଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଦୁର୍ନୀତି ନିବାରଣ ବିଭାଗର ସମସ୍ତ କର୍ମଚାରୀଙ୍କ ଓ ଅଧିକାରୀଙ୍କର ହେବ ସ୍ୱାସ୍ଥ୍ୟ ପରୀକ୍ଷା । ଏଥିସହିତ ସମସ୍ତ ଚାକିରିଆଙ୍କର ପରିବାର ସଦସ୍ୟଙ୍କର ମଧ୍ୟ ହେଲଥ୍ ଚେକ୍ କରାଯିବ । ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲାର ଆଇଜିଏଚ ସମେତ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏ ବାବଦରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ସମ୍ପୃକ୍ତ ହସ୍ପିଟାଲର ମୁଖ୍ୟମାନଙ୍କୁ ଚିଠି ଲେଖିଛନ୍ତି ।

ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶ ମତେ ବିଭାଗର ସମସ୍ତ କର୍ମଚାରୀ ଓ ସେମାନଙ୍କର ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ୩୫ ବର୍ଷ ବା ତା’ଠାରୁ ଅଧିକ ବୟସର କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । କର୍ମଚାରୀମାନେ ହେମୋଗ୍ଲାବିନ, ଡିସି, ଟିଏଲସି, ଏଫବିଏସ, ପିପିବିଏସ, ବ୍ଲଡ ୟୁରିଆ, ଲିଭର କାର୍ଯ୍ୟକାରିତା ଆଦି ଟେଷ୍ଟ କରିବା ବାଧ୍ୟତାମୂଳକ । ସେହିପରି ମୂତ୍ର ପରୀକ୍ଷା, ଉଚ୍ଚତା, ଓଜନ, ରକ୍ତଚାପ, ସ୍ତନ ଓ ମୁଖ କର୍କଟ ଟେଷ୍ଟ କରିବା ଜରୁରୀ ବୋଲି କୁହାଯାଇଛି ।

ତେବେ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ଥାନୀୟ ଭିଜିଲାନ୍ସ ଏସପିଙ୍କ ଅନୁମତି ନେବା ଜୁରୁରୀ । ପ୍ରତି ଜିଲ୍ଲାର ଭିଜିଲାନ୍ସ ୟୁନିଟ ମୁଖ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ରହିବେ । ଏହାପରେ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା ତାଲିକା ପ୍ରସ୍ତୁତ କରଯାଇ ଡିଭିଜନ ଏସପିଙ୍କ ନିକଟରେ ଦାଖଲ କରାଯିବ । ତା’ପରେ ଏହି ରିପୋର୍ଟ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ଏମଡିଙ୍କୁ ପ୍ରଦାନ କରାଯିବ । ଏହି କାର୍ଯ୍ୟ ପାଇଁ ନିଦାନ ଯୋଜନା ପାଣ୍ଠିରୁ ଖର୍ଚ୍ଚ ଭରଣା କରାଯିବ ।

ସୂଚନାଯୋଗ୍ୟ ଯେ, ନିକଟରେ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ସରକାରୀ କର୍ମଚାରୀଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ନେଇ ବିଭିନ୍ନ ମହଲରେ ମତ ପ୍ରକାଶ ପାଇଥିଲା । ବିଶେଷ କରି ଆଇନ ପ୍ରବର୍ତ୍ତନ ବିଭାଗର କର୍ମଚାରୀଙ୍କର ହେଲଥ ଚେକ୍ କରିବା ଜରୁରୀ ବୋଲି କୁହାଯାଇଛି । ବର୍ତ୍ତମାନ କେଉଁ ବିଭାଗର ସରକାରୀ କର୍ମଚାରୀ କେଉଁ ରୋଗରେ ଆକ୍ରାନ୍ତ ତାହା କହିବା ମୁସ୍କିଲ । ତେଣୁ ସ୍ୱାସ୍ଥ୍ୟ ବିଭାଗ ଭିଜିଲାନ୍ସ ବିଭାଗରୁ ପ୍ରଥମେ ଏହି ପ୍ରକ୍ରିୟା ଆରମ୍ଭ କରୁଛି । ଆଗାମୀ ଦିନରେ ଅନ୍ୟ ବିଭାଗର କର୍ମଚାରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି ।