fbpx

BJD ସୁପ୍ରିମୋଙ୍କଠାରୁ ଟିକେଟ୍ ନେଲେ ଦିପାଳୀ: ଆସନ୍ତା ୧୮ରେ ନାମାଙ୍କନ ଦାଖଲ କରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରଚାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଜେଡିରୁ ଦିପାଳୀ ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରାର୍ଥୀ ହୋଇଛନ୍ତି । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଗତ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଗତ ଜାନୁଆରୀ ମାସ ୨୯ ତାରିଖରେ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଆସନଟି ଖାଲି ପଡ଼ିଥିଲା । ବ୍ରଜରାଜନଗରକୁ ଏକ ନିର୍ବାଚନୀ ଗସ୍ତରେ ଯାଇଥିବା ସମୟରେ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ । ତେବେ ନବଙ୍କ ମୃତ୍ୟୁ ପରେ ଏହି ଆସନ ପାଇଁ କାହାକୁ ପ୍ରାର୍ଥୀ କରାଯିବ ସେନେଇ ବିଭିନ୍ନ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ଶେଷରେ ନବଙ୍କ ଝିଅ ଦିପାଳୀଙ୍କ ଉପରେ ଭରସା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ତେବେ ପିତାଙ୍କ ଗଡ଼କୁ ରକ୍ଷା କରିବା ସହ ସୁପ୍ରିମୋଙ୍କୁ ନିରାଶ କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଦିପାଳୀ । ଏହା ମଧ୍ୟରେ ଦିପାଳୀ ଦଳର ସୁପ୍ରିମୋଙ୍କଠାରୁ ଟିକେଟ ନେଇଛନ୍ତି । ଆସନ୍ତା ୧୮ ତାରିଖରେ ଦିପାଳୀ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଛି । ଆସନ୍ତା ୨୦ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ନାମାଙ୍କନ ପତ୍ର ଦାଖଲ କରିବାକୁ ପଡ଼ିବ । ଏହାପରେ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ରେ ପ୍ରତ୍ୟାହାର ତାରିଖ ରହିଛି । ମେ ୧୦ରେ ଭୋଟ ଗ୍ରହଣ ହେବା ପରେ ୧୩ରେ ଫଳାଫଳ ଘୋଷଣା କରାଯିବ ।

Get real time updates directly on you device, subscribe now.