fbpx

ଚଳିତବର୍ଷ ଖରାଛୁଟିରେ ସ୍କୁଲ ପିଲାଙ୍କୁ ଦିଆଯିବ ଅବକାଶକାଳୀନ ଶିକ୍ଷା, ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ପାଠ୍ୟକ୍ରମ: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଅବକାଶକାଳୀନ ଶିକ୍ଷା ପ୍ରଦାନର ବ୍ୟବସ୍ଥା କରିଛନ୍ତି। ଆସନ୍ତା ମେ’ ୪ ତାରିଖରୁ ସ୍କୁଲଗୁଡ଼ିକରେ ଖରାଛୁଟି ଆରମ୍ଭ ହେବ। ଏହି ସମୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ସହ ଯୋଡ଼ି ରଖିବାପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ଏହି ବ୍ୟବସ୍ଥାରେ ଗୋଟିଏ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୁପ୍‍ ଗଠନ କରାଯିବ। ଜଣେ ଶିକ୍ଷକ ପ୍ରତି ଗ୍ରୁପ୍‍ର ମନିଟର କରିବେ। ସେମାନେ ଫୋନ୍‍ ଯୋଗେ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଅବକାଶକାଳୀନ ସିଲାବସ୍‍ ଅନୁସାରେ ପାଠପଢ଼ାର ତଦାରଖ କରିବେ। ଖରାଛୁଟି ସମୟରେ ଛାତ୍ରଛାତ୍ରୀମାନେ ସମୟର ସଦୁପଯୋଗ କରିବା ସହ ବିଦ୍ୟାଳୟ ଶିକ୍ଷା ସହିତ ଯୋଡ଼ିହୋଇ ରହିବା ଏହି ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଦାଶ କହିଛନ୍ତି।

ତେବେ ଗ୍ରୀଷ୍ମର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍କୁଲଗୁଡ଼ିକୁ ବନ୍ଦ କରାଯାଇଥିଲା। ୧୭ ଠାରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ସହିତ ସକାଳ ୬ରୁ ୧୧ଟା ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇଛି। ଏଥିସହିତ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆବଶ୍ୟକ ପଡ଼ିଲେ ସ୍କୁଲ କର୍ତ୍ତୃପକ୍ଷ ସ୍କୁଲ ଟାଇମିଂ ପରିବର୍ତ୍ତନ କରିବା ସହିତ ଛୁଟି ଘୋଷଣା କରିପାରିବେ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଯାଇଛି । ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ନେଇ ଘୋଷଣା କରିଥିଲେ ।

 

Get real time updates directly on you device, subscribe now.