ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ପାଇଁ ଚକ୍ରବ୍ୟୁହ ରଚୁଛି ବିସିସିଆଇ । ଅଷ୍ଟ୍ରେଲିଆକୁ ମାତ୍ ଦେବା ପାଇଁ ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିବା ପରେ ପୁଣି ଏଥିରେ ପରିବର୍ତ୍ତନ କରିପାରେ ଟିମ୍ ଇଣ୍ଡିଆ । ଆଇପିଏଲ-୨୦୨୩ରେ ଦମଦାର ପ୍ରଦର୍ଶନ କରିଥିବା ଯୁବ ଖେଳାଳିଙ୍କୁ ଏହି ମ୍ୟାଚ ପାଇଁ ମିଳିପାରେ ଗୋଲ୍ଡେନ ଚାନ୍ସ । ତେବେ ଏହି ତାଲିକାରେ ସର୍ବ ଉପରେ ରହିଛି ୩ ଖେଳାଳିଙ୍କ ନାଁ ।
ଋତୁରାଜ ଗାଏକ୍ୱାଡ, ସରଫରାଜ ଖାନ୍ ଏବଂ ଯଶସ୍ୱୀ ଜଏସ୍ୱାଲଙ୍କୁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଦଳରେ ସାମିଲ କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ଆଇପିଏଲରେ ନିଜ ନିଜ ଫ୍ରାଞ୍ଚାଇଜି ପାଇଁ ଦମଦାର ପ୍ରଦର୍ଶନ କରୁଛନ୍ତି ଏହି ଖେଳାଳି । ତେଣୁ ଏମାନଙ୍କ ଉପରେ ରହିଛି ବିସିସିଆଇର ନଜର । ଫାଇନାଲ ପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ ଏମାନଙ୍କୁ ବ୍ୟାକ୍ ଅପ୍ ଖେଳାଳି ଭାବରେ ଇଂଲଣ୍ଡ ନେଇପାରେ ଟିମ ଇଣ୍ଡିଆ । ସେପଟେ କେ.ଏଲ ରାହୁଲଙ୍କ ଆହତ ସମସ୍ୟା ଏମାନଙ୍କୁ ପ୍ଲେଇଙ୍ଗ-୧୧ରେ ମଧ୍ୟ ସ୍ଥାନ ଦେଇପାରେ ।
ରାଜସ୍ଥାନ ରୋୟଲ୍ସ ପକ୍ଷରୁ ଖେଳି ଯଶସ୍ୱୀ ଜଏସ୍ୱାଲ ଓପନିଙ୍ଗ ବଢିଆ ପ୍ରଦର୍ଶନ କରିବା ସହ ଗୋଟିଏ ଦମଦାର ଶତକ ମଧ୍ୟ ହାସଲ କରିଛନ୍ତି । ସେହିପରି ଚେନ୍ନାଇର ଷ୍ଟାର ଓପନର ଋତୁରାଜ ମଧ୍ୟ ନିଜ କାରନାମା ଦେଖାଇ ଚାଲିଛନ୍ତି । ଦଳ ପାଇଁ ପ୍ରାୟ ପ୍ରତ୍ୟେକ ମ୍ୟାଚରେ ତାଙ୍କ ବ୍ୟାଟରୁ ବଡ ବଡ ପାଳି ଦେଖିବାକୁ ମିଳିଛି । ତେଣୁ ସେ ଦଳରେ ସାମିଲ ହେବା ପାଇଁ ମଧ୍ୟ ସୁଯୋଗ ପାଇପାରନ୍ତି । ତେବେ ରାହୁଲଙ୍କ ଆହତ ସମସ୍ୟା ଯୋଗୁଁ ବ୍ୟାକ୍ ଅପ୍ ୱିକେଟ କିପର ଭାବରେ ଦଳକୁ ଏଣ୍ଟ୍ରି କରିପାରନ୍ତି ସରଫରାଜ ଖାନ୍ । ଅଷ୍ଟ୍ରେଲିଆ ବିପକ୍ଷରେ ଜୁନ ୭ ତାରିଖରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଟାଇଟଲ ପାଇଁ ଲଢିବ ଟିମ ଇଣ୍ଡିଆ ।