fbpx

ଆଜିଠୁ କଲବଲ କରିବ ତାତି, ଜଳିବ ସାରା ଓଡ଼ିଶା: ୪୫ ଡିଗ୍ରୀ ପାର୍‌ କରିପାରେ ତାପମାତ୍ରା

ଭୁବନେଶ୍ବର : ୧୫ ତାରିଖ ଠାରୁ ଅଧିକ ତାତିର ପ୍ରଭାବ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ଅତ୍ୟଧିକ ଗରମ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୧୬ ତାରିଖରେ ଅଭ୍ୟନ୍ତରୀଣ ୧୬ ଜିଲ୍ଲା ପାଇଁ ହିଟ୍ ୱେଭ ଆଲର୍ଟ ଜାରି ହୋଇଛି । ୧୭ ତାରିଖରେ ୫ଟି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

କ୍ରମାଗତ ଭାବେ ପଶ୍ଚିମ ଓ ଉତ୍ତରପଶ୍ଚିମ ଦିଗ‌ରୁ ଗରମ ତଥା ଶୁଷ୍କ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବାର ଆଶଙ୍କା ଥିବାରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁର ଆଦି ଜିଲ୍ଲାରେ ଗ୍ରୀଷ୍ମ ଲହରି ପ୍ରବାହିତ ହେବ। ୧୬ ଓ ୧୭ ତାରିଖ ମଧ୍ୟ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପ୍ରବାହିତ ‌ହେବ। ୧୬ ତାରିଖଠାରୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଏବଂ ୧୭ ତାରିଖ ଦିନ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ରହିଛି।

ଏହିସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇବ। ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ପାର୍‌ କରିଯାଇପାରେ। କାଲି ଭୁବନେଶ୍ବର ଓ ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ। ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ମଧ୍ୟରେ ରହିବ।

Get real time updates directly on you device, subscribe now.