fbpx

ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ରାଜସ୍ୱ ବିଭାଗର ଚିଠି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଏବେ ଠାରୁ ଆରମ୍ଭ ହୋଇଯାଇଛି । ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ଶେଷ କରିବାକୁ ନିର୍ଦ୍ଦେଶ ହୋଇଛି । ସବୁ ଜିଲ୍ଲାପାଳ ଓ ନିର୍ବାଚନ ଅଧିକାରୀମାନଙ୍କୁ ଚିଠି ଲେଖି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ମେ’ ୨୯ ତାରିଖ ସୁଦ୍ଧା ତାଲିକା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ଓଡ଼ିଶା ପ୍ରଶାସନିକ ସେବା/ଓଡ଼ିଶା ରାଜସ୍ୱ ସେବା, ଗ୍ରୁପ- ବି ଅଫିସରଙ୍କ ପାଇଁ ନିୟମ ଲାଗୁ ହେବ ବୋଲି ଚିଠିରେ କୁହାଯାଇଛି । ଯେଉଁ କର୍ମଚାରୀମାନେ ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଛନ୍ତି ଓ ଯେଉଁମାନେ ଘରୋଇ ଜିଲ୍ଲାରେ କାର୍ଯ୍ୟ କରୁଛନ୍ତି ସେନେଇ ତଥ୍ୟ ମଗାଯାଇଛି ।

ଗୋଟିଏ ପଦବୀରେ ୩ ବର୍ଷ ଥିବା ଅଧିକାରୀ ଏବଂ ନିଜ ଜିଲ୍ଲାରେ କାର୍ଯ୍ୟରତ ଅଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ମେ ୨୯ ସୁଦ୍ଧା ଦାଖଲ କରିବାକୁ ରାଜସ୍ବ ବିଭାଗ ନିର୍ଦ୍ଦେଶ ଦେଇଛି । ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବାକୁ ଅଧିକାରୀଙ୍କ ପୋଷ୍ଟିଙ୍ଗ ଓ ବଦଳି ନେଇ ନିର୍ବାଚନ କମିଶନ କିଛି କଟକଣା ରଖିଛନ୍ତି । ନିର୍ବାଚନ ପ୍ରକ୍ରିୟା ସହ ଜଡ଼ିତ କୌଣସି ଅଧିକାରୀ ନିଜ ଜିଲ୍ଲାରେ ରହିପାରିବେ ନାହିଁ । କୌଣସି ଅଧିକାରୀ ୩ ବର୍ଷରୁ ଅଧିକ ସମୟ ଗୋଟିଏ ପଦବୀରେ ରହିବେ ନାହିଁ । ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ପୋଲିସ ଇନସପେକ୍ଟର, ସବ-ଇନସପେକ୍ଟର ଯେଉଁମାନେ ୨୦୧୯ ସାଧାରଣ ନିର୍ବାଚନରେ ଯେଉଁଠି ଥିଲେ, ସେମାନେ ୨୦୨୪ରେ ସେହି ଜାଗାରେ ରହିପାରିବେ ନାହିଁ ।

ଯଦି କୌଣସି ଛୋଟ ରାଜ୍ୟରେ ଅଧିକାରୀଙ୍କ ସମସ୍ୟା ଥାଏ, ତାହାଲେ ସେ ବାବଦରେ ଯଥେଷ୍ଟ କାରଣ ନିର୍ବାଚନ କମିଶନଙ୍କୁ ରାଜ୍ୟ ସରକାର ଜଣାଇବେ । ଏହି ନିୟମ ପୋଲିସ ଆଇଜି, ଡ଼ିଆଇଜି, ଏସପି, ଏସ୍ଡ଼ିପିଓଙ୍କ କ୍ଷେତ୍ରରେ ଲାଗୁ ହେବ । ନିର୍ବାଚନର ୬ ମାସ ମଧ୍ୟରେ ଅବସର ନେବାକୁ ଥିବା କମର୍ଚାରୀ ଓ ଅଧିକାରୀଙ୍କ ପାଇଁ ଏହା ଲାଗୁ ହେବ ନାହିଁ । ଯେଉଁ କମର୍ଚାରୀ ଓ ଅଧିକାରୀମାନେ କମ୍ପ୍ୟୁଟର ସେଲ୍, ଟ୍ରେନିଙ୍ଗ, ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଥିବେ, ସେମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ ବୋଲି ନିର୍ବାଚନ କମିଶନ ମଡ଼େଲ କୋଡ଼ରେ ସ୍ପଷ୍ଟ କରିଛନ୍ତି । ଏହା ସହ ରାଜ୍ୟ ମୁଖ୍ୟାଳୟରେ କାର୍ଯ୍ୟରତ ଅଧିକାରୀ ଓ କମର୍ଚାରୀଙ୍କ ପାଇଁ ଏହି ନିୟମ ମଧ୍ୟ ପ୍ରଯୁଜ୍ୟ ନୁହେଁ ।

Get real time updates directly on you device, subscribe now.