SCBରେ ଚିକିତ୍ସିତ ହେଉଥିବା କଏଦୀ ଚମ୍ପଟ: ଶୌଚ ହେବା ଆଳରେ ଜଣେ ମହିଳାଙ୍କ ଶାଢୀ ପିନ୍ଧି ଫେରାର

କଟକ: SCB ବା କଟକ ବଡ ମେଡିକାଲରୁ କଏଦୀ ଚମ୍ପଟ ମାରିଥିବା ଘଟଣା ସାମ୍ନାକୁ ଆସିଛି । ମହିଳାଙ୍କ ଶାଢୀ ପିନ୍ଧି ଜଣେ କଏଦୀ ଚମ୍ପଟ ହୋଇଥିବା ଜଣାପଡିଛି । ଚୌଦ୍ୱାର ଜେଲରୁ ଆସି ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ଚମ୍ପଟ ମାରିଛି କଏଦୀ।ଜଗତସିଂପୁର ନାଉଗାଁ ବସିନ୍ଦା ସଜନ ଦାସ ଗତ ୨୬ ତାରିଖ ଦିନ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏକ ଚୋରି ମାମଲାରେ ଜେଲରେ ଥିବା ବେଳେ ପେଟ ରୋଗ ସହିତ ବାତ ସମସ୍ୟା ଯୋଗୁଁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଆସିଥିଲେ ।

ଏଭଳି ବାରମ୍ବାର ହେବାରୁ ମେ ୨୯ ତାରିଖରେ ଜେଲ କର୍ତ୍ତୃପକ୍ଷ ତାକୁ ଏସସିବି ଆଣିଥିଲେ । ଏହାପରେ ତାକୁ ନ୍ୟୁ ମେଡିସିନ ୱାର୍ଡର ଦ୍ୱିତୀୟ ମହଲାରେ ଥିବା ବେଡ୍ ନମ୍ବର ୧୭୨ରେ ଭର୍ତି ହୋଇଥିଲା । ଗତକାଲି ସକାଳେ ଶୌଚ ହେବାକୁ ଯାଇ ସଜନ ଜଣେ ମହିଳାଙ୍କ ଶାଢୀ ପିନ୍ଧି ଚମ୍ପଟ ମାରିଛି ।

ସଜନକୁ ଜଗିବା ପାଇଁ ଓ୍ବାର୍ଡରେ 6 ଜଣ ନିୟୋଜିତ ହୋଇଥିଲେ। ଏହାରି ଭିତରେ ଜଣେ କଏଦୀ କିପରି ଖସିଯାଇପାରିଲା ତାହା ନେଇ ପ୍ରଶ୍ନବଚୀ ସୃଷ୍ଟି ହୋଇଛି । ସଜନ ଖସିଯିବା ପରେ ମଙ୍ଗଳାବାଗ ଥାନାରେ ଜେଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଖୋଜାଖୋଜି ଆରମ୍ଭ କରିଛି ପୋଲିସ । ତେବେ ଚୌଦ୍ୱାର ଜେଲର ୩ ଜଣ ୱାର୍ଡର ତାଙ୍କୁ ଜଗିଥିବା ସତ୍ୱେ କିଭଳି କଏଦୀ ଜଣଙ୍କ ଚମ୍ପଟ ମାରିଲା ତାହା ଏବେ ବଡ ପ୍ରଶ୍ନ ହୋଇଛି ।